ସତ୍ୟପାଠ ବ୍ୟୁରୋ: ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ନିଜ ଉପରକୁ ଉତ୍ତରଦାୟିତ୍ୱ ନେବା ସହ ସେ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜେ ରାହୁଲ ଟୁଇଟ କରି ସୂଚନା ଦେଇଛନ୍ତି ।
୪ପୃଷ୍ଠା ସମ୍ବଳିତ ଚିଠିରେ ରାହୁଲ ଲେଖିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ଏକ ସମ୍ମାନର କଥା। କଂଗ୍ରେସର ଆଦର୍ଶ ଆମ ଦେଶର ରକ୍ତରେ ପ୍ରବାହିତ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଭାବେ ସେ ପାଇଥିବା ଭଲ ପାଇବା ଏବଂ ସମ୍ମାନ ପାଇଁ ଋଣୀ ରହିବେ।
It is an honour for me to serve the Congress Party, whose values and ideals have served as the lifeblood of our beautiful nation.
I owe the country and my organisation a debt of tremendous gratitude and love.
Jai Hind 🇮🇳 pic.twitter.com/WWGYt5YG4V
— Rahul Gandhi (@RahulGandhi) July 3, 2019
ନୂଆ ଅଧ୍ୟକ୍ଷଙ୍କ ବାବଦରେ ସେ କହିଛନ୍ତି, ବିନା କୌଣସି ଡେରିରେ ଦଳ ନୂଆ ଅଧ୍ୟକ୍ଷ ବାଛିନେବା ଠିକ ହେବ, କିନ୍ତୁ ମୁଁ ଏହି ପ୍ରକ୍ରିୟାରେ ସାମିଲ ହେବିନି। ମୁଁ ଇସ୍ତଫା ଦେଇ ସାରିଛି ଏବଂ ମୁଁ ଏବେ ଆଉ ଅଧ୍ୟକ୍ଷ ନାହିଁ। ସେ କହିଛନ୍ତି, ଦଳର ସର୍ବୋଚ୍ଚ ନିଷ୍ପତ୍ତି କର୍ତ୍ତା କଂଗ୍ରେସ ୱାର୍କିଂ କମିଟି ଖୁବ୍ ଶୀଘ୍ର ଏକ ବୈଠକ ଡାକି ଅଧ୍ୟକ୍ଷ ନିର୍ବାଚିତ କରୁ। ସେ ଏହି ପ୍ରକ୍ରିୟାରେ ରହିବା ପ୍ରସଙ୍ଗକୁ ଜଟିଲ କରିବାକୁ ଥିବାରୁ ସେ ଏଥିରୁ ଦୂରେଇ ରହିବେ।
ନିର୍ବାଚନ ଫଳାଫଳର ଦୁଇଦିନ ପରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଏହାକୁ ଗ୍ରହଣ କରାଯାଇନଥିଲା । ସେବେଠାରୁ ନୂଆ ସଭାପତି ଚୟନ କରିବାକୁ ବାରମ୍ବାର କହି ଆସୁଥିଲେ ରାହୁଲ ।
ରାହୁଲ ଇସ୍ତଫା ଦେବା ନେଇ ପୂର୍ବରୁ ଅନେକ ଚର୍ଚ୍ଚା ଲାଗି ରହିଥିଲା । ଏପରିକି ଅଶୋକ ଗେହଲଟ, ଗୁଲାମନବୀ ଆଜାଦଙ୍କ ଭଳି ବରିଷ୍ଠ ନେତାମାନେ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ନିଜ ଜିଦରେ ଅଟଳ ରହିଥିଲେ ରାହୁଲ । ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ପଦ ଛାଡିବାକୁ ରାହୁଲ ଜିଦ୍ ଧରିଥିଲେ ।
ରାହୁଲ ଇସ୍ତଫା ନଦେବା ଦାବୀରେ ଦଳର କିଛି କାର୍ଯ୍ୟକର୍ତ୍ତା ଇସ୍ତଫାପତ୍ର ପ୍ରଦାନର ଲମ୍ବା ଧାଡି ତିଆରି କରିଥିଲେ । ଏପରିକି କଂଗ୍ରେସ କାର୍ଯ୍ୟାଳୟରେ ଧାରଣା ମଧ୍ୟ ଦେଇଥିଲେ । କିନ୍ତୁ କିଛି ବି ରାହୁଲଙ୍କୁ ନିଷ୍ପତି ନେବାରୁ ଅଟକାଇ ପାରିନି । ଇସ୍ତଫା ଦେବା ପରେ ଟୁଇଟରରେ ନିଜ ‘ବାୟୋ’ ଅପଡେଟ୍ କରିଛନ୍ତି ରାହୁଲ । କଂଗ୍ରେସ ସଭାପତି ସ୍ଥାନରେ ସାଂସଦ ଓ କଂଗ୍ରେସ ସଦସ୍ୟ ବୋଲି ଲେଖିଛନ୍ତି ।