ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଗୁମର ଫିଟିବାରେ ଲାଗିଛି । କେତେବେଳେ ଜାଲ କାଗଜ ପତ୍ର ସାମ୍ନାକୁ ଆସୁଥିବାବେଳେ ଆଉ କେତେବେଳେ ଚାକିରି କରାଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏହା ମଧ୍ୟରେ ମହାଠକ ଡାକ୍ତରର ଆଉ ଏକ କଳାକାରନାମାର ଫର୍ଦ୍ଦ ସାମ୍ନାକୁ ଆସିଛି । ତେବେ ସେ ବିଧୁ ପ୍ରକାଶ ସ୍ବାଇଁ, ବିଜୟଶ୍ରୀ ରମେଶ, ରମଣୀ ରଞ୍ଜନ ଭଳି ନାଁରେ ଭୁବନେଶ୍ବର, ଦିଲ୍ଲୀ, ଗୁଜରାଟ, ବେଙ୍ଗାଲୁରୁ ସମେତ ଏକାଧିକ ରାଜ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା। ଏବେ ସୁଦ୍ଧା ୧୬ଟି ବ୍ୟାଙ୍କ ଆକାଉଣ୍ଟ ପୁଲିସ ହାତରେ ଲାଗିଥିବା ବେଳେ ୭ଟିର ହିସାବ ପାଇଛି। ଏହାକୁ ପୁଲିସ ଅଚଳ କରି ଦେଇଥିବା ଜଣାପଡ଼ିଛି। ସେହିସବୁ ଆକାଉଣ୍ଟରେ ୧୫ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ବାକି ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକର ତଥ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)କୁ ମଗା ଯାଇଛି।
ସବୁ ଆକାଉଣ୍ଟର ତଥ୍ୟ ଆସିବା ପରେ ଆହୁରି ଟଙ୍କା ଥିବ ବୋଲି ଅନୁମାନ କରାଯାଉଛି। ବିଭିନ୍ନ ଜାଗାରେ ଥିବା ଜମି, କୋଠା ଭଳି ସମ୍ପତ୍ତିର ମଧ୍ୟ କାଗଜପତ୍ର ପୁଲିସ ସଂଗ୍ରହ କରୁଛି। ଏ ସବୁକୁ ମଧ୍ୟ ଜବତ କରାଯାଇ ପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ତୃତୀୟ ପର୍ୟ୍ୟାୟରେ ଗତକାଲି ଠାରୁ ୫ ଦିନିଆ ରିମାଣ୍ଡରେ ଆସିଥିବା ରମେଶର ଆଜି ହେଉଛି ଦ୍ବିତୀୟ ଦିନ। ମହିଳା ଥାନାରେ ରୁଜୁ ହୋଇଥିବା ମାମଲାର ତଥ୍ୟ ପ୍ରମାଣ ସଂଗ୍ରହ ପରେ ଏବେ ଅନ୍ୟ ଥାନା ପୁଲିସ ଜେରା ଆରମ୍ଭ କରିଛନ୍ତି। ଆଜି ଦିନ ତମାମ୍ ମାରାଥନ୍ ଜେରା କରାଯାଇଛି। ଖଣ୍ଡଗିରି ଓ ଭରତପୁର ଥାନାରେ ଏମ୍ସରେ ଆଡମିସନ ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା, ସହିଦନଗର ଥାନାରେ ଜାଲ କାଗଜପତ୍ରରେ କାର୍ କିଣିବା ମାମଲା, ପାହାଳରେ ଠିକାଦାରଙ୍କୁ ଠକିଥିବା ଭଳି ମାମଲାରେ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀମାନେ ପଚରଉଚରା କରି ତଥ୍ୟ ପ୍ରମାଣ ସଂଗ୍ରହ କରୁଛନ୍ତି। ସେହିପରି କେରଳ, ହାଇଦ୍ରାବାଦରେ ଠକେଇ ମାମଲାରେ ସମ୍ପୃକ୍ତ ରମେଶକୁ କମିସନରେଟ ପୁଲିସର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାର ଅଧିକାରୀ ମଧ୍ୟ ଜେରା କରୁଛନ୍ତି।





