ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡର ୫୦ଟି ଜାଗାରେ ଲାଗିବ ସିସିଟିଭି

ପୁରୀ: ଆଗକୁ ରଥଯାତ୍ରା । ତେବେ ଏନେଇ ଚାଲିଛି ଜୋର୍ ସୋର୍ ରେ ପ୍ରସ୍ତୁତି । ଘନଘନ ବୈଠକ ସାଂଗକୁ ଶାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ ପୁରୀ ସଦ୍‌ଭାବନା ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି କହିଛନ୍ତି, ଚଳିତ ରଥଯାତ୍ରାରେ ବହୁ ଜନସମାଗମ ହେବ। ପୋଲିସ ଓ ପ୍ରଶାସନର ମିଳିତ ଉଦ୍ୟମରେ ରଥଯାତ୍ରା ସୁପରିଚାଳିତ ହୋଇପାରିବ।

ଯେଉଁ ଅଧିକାରୀମାନଙ୍କୁ ଯେଉଁ ଦାୟିତ୍ୱ ମିଳିଛି ଓ ଯେଉଁ ପୋଲିସ ଅଧିକାରୀଙ୍କୁ ଯେଉଁ ସ୍ଥାନରେ ନିୟୋଜିତ କରାଯିବ, ସେଠାରେ ଠିକ୍‌ ଭାବେ ଦାୟିତ୍ୱ ସମ୍ପନ୍ନ କରିବାର ଆବଶ୍ୟକତା ରହିଛି। ରଥଯାତ୍ରା ଦିନ ପ୍ରତ୍ୟୁଷରୁ ବଡ଼ଦାଣ୍ଡରେ କୌଣସି ଗାଡ଼ି ନ ରଖିବା, ଅଯଥା ଗହଳି ନ ହେବା, ଟ୍ରାଫିକ୍‌ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଆମ୍ବୁଲାନ୍ସ ଭଳି ବ୍ୟବସ୍ଥାର ସୁପରିଚାଳନା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱ ସମ୍ପାଦନରେ ଅବହେଳା ନ କରନ୍ତୁ ବୋଲି ଜିଲାପାଳ ନିବେଦନ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ଗୋଇନ୍ଦା ଏସ୍‌ପି ଜ୍ଞାନ ମହାପାତ୍ର, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ପୋଲିସ ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଏସ୍‌ପି କନୱର ବିଶାଲ ସିଂ ଯୋଗଦେଇ କହିଛନ୍ତି, ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଭକ୍ତଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ୧୮୦ ପ୍ଲାଟୁନ୍‌ରୁ ଊର୍ଦ୍ଧ୍ୱ ଫୋର୍ସ ମୁତୟନ ହେବେ। ଏକ ହଜାର ଅଫିସର ଓ ୧୮ ଜଣ କମାଣ୍ଡାଣ୍ଟ ଅଫିସର ନିୟୋଜିତ ହେଉଛନ୍ତି। ସିନିୟର ସୁପରଭାଇଜର ଭାବେ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବ। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏକକ କଣ୍ଟ୍ରୋଲ୍‌ ରୁମ୍‌ ପରିଚାଳିତ କରାଯିବ। ଟୋଲ୍‌ ଫ୍ରି ହେଲ୍ପଲାଇନ୍‌ ନମ୍ବର ଜାରି କରାଯିବ। ପୁରୀବାସୀଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳାରେ ହୋଇପାରିବ। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍‌ କରିଡରର ବ୍ୟବସ୍ଥା ହୋଇଛି। ମେଡିକାଲ ଟିମ୍‌ ମହଜୁଦ ରହିବେ। ବିଭିନ୍ନ ଗଳି ଚିହ୍ନଟ ହୋଇଛି, ଜରୁରିକାଳୀନ ସ୍ଥିତିରେ ଗଳିକୁ ଯାତାୟାତ ଲାଗି ବ୍ୟବହାର କରାଯାଇପାରିବ। ପାର୍କିଂ ସ୍ଥଳରେ ପୋଲିସ କର୍ମଚାରୀ ରହିବେ। ଅଟୋରେ ଦର ସାରଣୀ ଲାଗିଛି। ଯାତ୍ରୀମାନେ ଠକାମିର ଶିକାର ହେବେନି।

ସିସିଟିଭି ଇନ୍‌ଷ୍ଟାଲେଶନ୍‌ ଚାଲିଛି। ବଡ଼ଦାଣ୍ଡର ୫୦ଟି ଜାଗାରେ ସିସିଟିଭି ଲାଗୁଛି। ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା ଉପରେ ପୋଲିସ ପ୍ରଶାସନ ଧ୍ୟାନ ଦେଉଛି ବୋଲି ଏସ୍‌ପି କହିଛନ୍ତି ।

Related Posts