ଓଡ଼ିଆ ଚାଷୀଙ୍କର ଚମତ୍କାର ଉଦ୍ଭାବନ, କୃଷି କ୍ଷେତ୍ରରେ ଆଣିବ ବିପ୍ଲବ

ରାୟଗଡ଼ାର ଚାଷୀ ପୂନରୋ ବାବୁ ରାଓ ଯେଉଁ ଉଦ୍ଭାବନ କରିଛନ୍ତି ତାହା ଆଗାମୀ ଦିନରେ କୃଷି କ୍ଷେତ୍ରରେ ବିପ୍ଲବ ଆଣିପାରେ । ତାଙ୍କ ଦ୍ବାରା ଉଦ୍ଭାବିତ ଡ୍ରୋନ୍‌ ଚାଷୀଙ୍କର ସମୟ ଓ ଖର୍ଚ୍ଚ ଉଭୟ ବଞ୍ଚାଇବ ।

ଡ୍ରୋନ୍‌ କରିବ କୃଷି କାର୍ଯ୍ୟ । ଚାଷ ଜମିରେ ସାର ପକାଇବାକୁ ଆଉ ଦରକାର ନାହିଁ ଲୋକ । ଏବେ ବିଲରେ ଡ୍ରୋନ୍‌ ପକାଇବ ସାର ।
ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଚାଷ ଜମିରେ ସାର ପକାଇବା ଚାଷୀଙ୍କ ପାଇଁ କିଛି କମ୍‌ ଚ୍ୟାଲେଞ୍ଜର କାମ ନୁହେଁ । ଏହି ଆବଶ୍ୟକତା ପୂରଣ କରିବାକୁ ରାୟଗଡ଼ାର ଜଣେ ଚାଷୀ ପୂନରୋ ବାବୁ ରାଓ କରିଛନ୍ତି ଏକ ଚମତ୍କାର ଉଦ୍ଭାବନ ।

ଏକ ଏମିତି ଡ୍ରୋନ୍‌ ଉଦ୍ଭାବନ କରିଛନ୍ତି ଯାହା ଚାଷ ଜମିରେ ସାର ପକାଇବା କାମ କରୁଛି । ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିବା ପରେ ଏକ ନିଆରା ଡ୍ରୋନ୍‌ ଉଦ୍ଭାବନ କରିଛନ୍ତି ପୂନରୋ ବାବୁ ରାଓ । ଡ୍ରୋନ୍‌ର ଓଜନ ହେଉଛି 12 କିଲୋ । ଏହା ଏକାଥରକେ ଏକ ଏକର ଜମିରେ 10 ଲିଟର ତରଳ ସାର ସିଞ୍ଚନ କରିପାରିବ । ତାହା ପୁଣି ମାତ୍ର 7 ମିନିଟ୍‌ ଭିତରେ ।

ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ୍‌ ସାନହୁମା ପଞ୍ଚାୟତ ଅଧୀନ ସନ୍ୟାସୀଗୁଡ଼ା ଗାଁର ବାସିନ୍ଦା 39 ବର୍ଷୀୟ କୃଷକ ପୂନରୋ ବାବୁ ରାଓ ତିଆରି କରିଥିବା ଏହି ଡ୍ରୋନ୍‌ କୃଷି କ୍ଷେତ୍ରରେ ଆଣିପାରିବ ଏକ ନୂଆ ବିପ୍ଲବ । ଡ୍ରୋନ୍‌ରେ ଜିପିଏସ୍‌ ସିଷ୍ଟମ ଲାଗିଛି ଏବଂ ଏହାକୁ ନିର୍ମାଣ କରିବାକୁ କେତେକ ଯନ୍ତ୍ରାଂଶ ଚୀନ୍‌ରୁ ମଗାଇଛନ୍ତି ।

ବାବୁ ରାଓ ନାଁ ଜଣେ ଇଞ୍ଜିନିୟର ନାଁ ସେ କୌଣସି ଆଇଟିଆଇ ଡିଗ୍ରୀ କରିଛନ୍ତି । ସେ କେବଳ ବିଏ ପଢ଼ିଛନ୍ତି । ବାବୁ ରାଓଙ୍କ କହିବା ଅନୁସାରେ ଏକ ଉଦ୍ଭାବନ କରିବା ପାଇଁ ଆପଣଙ୍କୁ ଇଞ୍ଜିନିୟର ହେବାର ଆବଶ୍ୟକତା ନାହିଁ । କୃଷି କ୍ଷେତ୍ରରେ ଏମିତି ନୂଆ କୌଶଳ ଆବିଷ୍କାର କରିବା ପାଇଁ 2014 ମସିହାରେ ବାବୁ ରାଓଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଚାଷୀ ପୁରସ୍କାର ମିଳିଥିଲା ।

ଇଣ୍ଟରନେଟ୍‌ରୁ ୟୁ ଟ୍ୟୁବ୍‌ ଭିଡ଼ିଓ ଦେଖି ସେ ଡ୍ରୋନ୍‌ ନିର୍ମାଣ କରିବା କୌଶଳ ଶିଖିଲେ । ବିଦେଶରେ ଡ୍ରୋନ୍‌କୁ ବ୍ୟବହାର କରି ସାରା ସିଞ୍ଚନ କରିବା ଏକ ସାଧାରଣ କଥା । ଏହାଦ୍ବାରା ସମୟ, ଅର୍ଥ କମ୍ ଖର୍ଚ୍ଚ ହେବା ସହ ସାର ଠିକ୍‌ ଭାବେ ମଧ୍ୟ ପକାଯାଇପାରେ । କିନ୍ତୁ ଆମ ଦେଶରେ ଚାଷୀମାନେ ସାର ପକାଇବା ପାଇଁ ବହୁ ଅର୍ଥ ଓ ସମୟ ଖର୍ଚ୍ଚ କରନ୍ତି । କିନ୍ତୁ ତାଙ୍କ ଦ୍ବାରା ଉଦ୍ଭାବିତ ଡ୍ରୋନ୍‌ ଏହି ସମସ୍ୟାର ସମାଧାନ କରିପାରିବ ବୋଲି କହନ୍ତି ବାବୁ ରାଓ ।

ଡ୍ରୋନ୍‌ କେଉଁଠି ଓ କେତେବେଳେ ସାର ପକାଗଲା ସେ ବାବଦରେ ସଠିକ୍‌ ସମୟ ରେକର୍ଡ କରେ, ଯାହା ସାଧାରଣତଃ ମଣିଷ ପକ୍ଷରେ ସମ୍ଭବ ନୁହେଁ । ଏହିପରି ଗୋଟିଏ ଡ୍ରୋନ୍‌ର ମୂଲ୍ୟ ବିଦେଶରେ ପ୍ରାୟ ସାଢ଼େ 5 ଲକ୍ଷ ଟଙ୍କା । କିନ୍ତୁ ସେ ଏହି ଡ୍ରୋନ୍‌ଟିକୁ ସାଢ଼େ 3 ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ପ୍ରାୟ 20 ମାସ ସମୟ ଲାଗିଛି । ବାବୁ କହିଛନ୍ତି ସେ ଜଣେ ମାତ୍ର ଚାଷୀ ଯିଏ ସାର ସିଞ୍ଚନ ପାଇଁ ଡ୍ରୋନ୍‌ ଉଦ୍ଭାବନ କରିଛନ୍ତି ।

Related Posts