ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜାତୀୟ ରାଜପଥ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ବାହାରେ ମୁହାଁ ମୁହିଁ ହୋଇଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ ୫୫ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ରୋହିତ ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସମ୍ବଲପୁରୁର-କଟକ ଏନଏଚ କାମ ଏ ଯାଏ ସରିନି । ୯ ବର୍ଷ ଧରି କାମ ଚାଲିଛି, କେବେ ସରିବ ଜଣାନାହିଁ । ଏହା ମରଣଯନ୍ତା ପାଲଟିଛି । ୪୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ଏହି ରାସ୍ତାରେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସେଇ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି, ସେ ସମ୍ବଲପୁରର ହୋଇ ମଧ୍ୟ ଏ ଦିଗରେ ମୁହଁ ଖୋଲୁ ନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ ରୋହିତ ।
ଏପଟେ ରୋହିତଙ୍କୁ ଜବାବ ଦେଇ ଜୟ ନାରାୟଣ କହିଛନ୍ତି, ରୋହିତ ଝାରସୁଗୁଡ଼ାରେ କୋଇଲା ପରସେଣ୍ଟଜ କେମିତି ମିଳିବ ତାର ଚିନ୍ତା କରନ୍ତୁ । ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି ନଭେମ୍ବର ସୁଦ୍ଧା ୱାନ ସାଇଡ଼ ରୋଡ଼ ହେଇଯିବ । ସେ ବୈଠକରେ ନିଜେ ରୋହିତ ପୂଜାରୀ ଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ କଣ୍ଟାକଟରଙ୍କୁ ଡାକି ବୈଠକରେ ସବୁକିଛି ସମାଧାନ କରିଛନ୍ତି । ପୁରୁଣା କଣ୍ଟ୍ରାକ୍ଟର ମନା କରିବା ପରେ ନୂଆ କଣ୍ଟ୍ରାକ୍ଟର କେମିତି ମିଳିବ ତାର ବି ବ୍ୟବସ୍ଥା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆମେ ତାଙ୍କ ଭଳି କଥା କହୁନା, କାମରେ କରି କି ଦେଖାଉ ବୋଲି କହିଛନ୍ତି ଜୟନାରାୟଣ ।





