ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଘନୀଭୂତ ହେବାରେ ଲାଗିଛି | ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ବେହାଲ ହୋଇପଡିଲାଣି ୟୁକ୍ରେନ | ରୁଷୀୟ ସେନା ୟୁକ୍ରେନ୍କୁ ଚାରିଆଡୁ ଘେରି ରହି ଆକ୍ରମଣ କରୁଛନ୍ତି | ଏହାରି ମଧ୍ୟରେ ରୁଷିଆ ବୟାନ ଦେଇଛି ଯେ, ଯୁଦ୍ଧରେ ରୁଷିଆ ୪୯୮ ଜଣ ସୈନିକଙ୍କୁ ହରାଇଛି । ଅପରପକ୍ଷେ ୟୁକ୍ରେନ୍ କହିଛି, ଯୁଦ୍ଧରେ ପରାଜିତ ହୋଇ ରୁଷିଆ ଫେରିବ ।
ୟୁକ୍ରେନ୍ର ଭିନ୍ନ ସହରରେ ରୁଷିଆ ଦ୍ୱାରା ଆକ୍ରମଣ କରାଯାଉଛି । ଖାରକିଭ ସହିତ ଅନ୍ୟ ସହରରେ ବୋମାମାଡ଼ର ଶବ୍ଦ ଶୁଭୁଛି । ଏକ ସ୍କୁଲର ବେସମେଣ୍ଟରେ ୧୦ ଜଣ ଲୋକ ଫସିଛନ୍ତି । ଏଥିରେ ଅଛନ୍ତି ୮ ଜଣ ଶିଶୁ । ରୁଷିଆ ଗୋଟିଏ ପରେ ଗୋଟିଏ ସହରକୁ ନିଜର ଅକ୍ତିଆରକୁ ନେଉଛି । ଖେରସନ ସହରକୁ ନିଜର ଅଧିନକୁ ଆଣିଛି । ୟୁକ୍ରେନ୍ କିନ୍ତୁ ଦାବି କରିଛି ଯେ, ମାର୍ଚ୍ଚ ୨ ତାରିଖରେ ରୁଷିଆର ୩ଟି ବିମାନ ଓ ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରାଯାଇ ଖସାଇ ଦିଆଯାଇଛି ।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କୁ ଜାଣି ରିଖିବା ଉଚିତ ଯେ, ଏଠାରେ ତାଙ୍କୁ କିଛି ମିଳିବ ନାହିଁ । କାହାରିକୁ ବିଜୟ ହାସଲ ହୋଇପାରିବ ନାହିଁ । ଯେତେ ଯାହା ଯୁଦ୍ଧ ସାମଗ୍ରୀ ହେଉ ଅଥବା ଲୋକ ବଳ ହେଉ, ଏଥିରେ କିଛି ପରିବର୍ତ୍ତନ ହେବ ନାହିଁ । ରୁଷିଆ ପ୍ରତିଟି ସ୍ଥାନରେ ହାରିକି ଯିବ ।
