ଭାରତକୁ ରୁଷିଆର ବଡ଼ ଅଫର; ସିପିଂ ଓ ବୀମା ବ୍ୟୟ ନିଜେ ବହନ କରିବା ସହ ତୈଳ ବାରଲ ପିଛା ୩୫ ଡଲାର ଡିସ୍କାଉଣ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତକୁ ରୁଷିଆର ବଡ଼ ଅଫର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏବେ ଭାରତରେ ଅନୁଭୂତ ହେଉଛି। ଭାରତରେ ତୈଳ କମ୍ପାନୀମାନେ ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ବୃଦ୍ଧି କଲେଣି। ଏଥିରେ ଋଷିଆର ଅଫର ଭାରତକୁ ସାମାନ୍ୟ ଆଶ୍ୱସ୍ତ କରିବ ବୋଲି ଏବେ ଆଶା କରାଯାଉଛି। ୟୁକ୍ରେନ ଯୁଦ୍ଧ ଲାଗି ଆମେରିକା ଓ ଇୟୁରୋପୀୟ ଦେଶମାନେ ଋଷିଆ ଉପରେ କଡା ପ୍ରତିବନ୍ଧକ ଲାଗୁ କରିଛନ୍ତି। ଏହାର ଦୃଢ ମୁକାବିଲା ଲାଗି ଏବେ ଋଷିଆ ଅଣ୍ଟା ଭିଡିଛି। ସେପଟେ ରାଷ୍ଟ୍ର ଭାରତକୁ ଋଷିଆ ବାରଲ ପିଛା ୩୫ ଡଲାର ଡିସ୍କାଉଣ୍ଟ ଅଫର ଦେଇଥିବା ବେଳେ ତୈଳର ସିପିଂ ଓ ବୀମା ବାବଦ ବ୍ୟୟ ମଧ୍ୟ ନିଜେ ବହନ କରିବ ବୋଲି କହିଛି। ଋଷିଆର ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଏବେ ଗୁରୁତର ସହ ବିଚାର କରୁଥିବା ଜଣାପଡିଛି। ଯଦି ଭାରତ ଋଷିଆର ଅଫର ସ୍ୱୀକାର କରି ନିଏ ତେବେ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଯିବ ବୋଲି ଆକଳନ କରାଯାଉଛି। ତେବେ ଏଥିଲାଗି ଭାରତ ନିକଟରେ ଋଷିଆ ମଧ୍ୟ ଏକ ସର୍ତ୍ତ ରଖିଛି।

ତାହା ହେଉଛି ତୈଳ ବାବଦ ଦେୟ ଭାରତ ରୁବଲରେ ପୈଠ କରିବ। ଅନ୍ୟପଟେ ଭାରତ ଯଦି ଋଷିଆରୁ ଅଶୋଧିତ ତୈଳ ଆମଦାନୀ କରେ ତେବେ ଏହାର ଦେୟ ପୈଠ କିପରି ହେବ ତା ଉପରେ ଏବେ ସଘନ ବିଚାରବିମର୍ଷ କରୁଛି। ଟଙ୍କା-ରୁବଲ ବ୍ୟବସ୍ଥା ଏହାର ଏକମାତ୍ର ବିକଳ୍ପ, ତେବେ ଏ ବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ୍ ଶୀଘ୍ର ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଋଷିଆର ଡିସ୍କାଉଣ୍ଟ ତେଲ ଉପରେ ଭାରତ ବିଚାର କରୁଥିବା ସଂସଦରେ କହିଥିଲେ। ଯଦି ଶସ୍ତାରେ ଭାରତକୁ ଋଷିଆରୁ ଅଶୋଧିତ ତୈଳ ମିଳିଯାଏ ତେବେ ଆର୍ଥିକ କ୍ଷେତ୍ରରେ ଭାରତକୁ ବଡ଼ ଲାଭ ମିଳି ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ବାରଲ ପିଛା ୭-ରୁ ୮୦ ଡଲାରରେ ବିକ୍ରି ହେଉଥିବା ଅଶୋଧିତ ତୈଳ ଏବେ ୧୧୦ ଡଲାରରୁ ବି ମହଙ୍ଗା ହୋଇଯାଇଛି। ଫଳରେ ଭାରତ ଭଳି ତୈଳ ଆମଦାନୀକାରୀ ଦେଶ ଉପରେ ଆର୍ଥିକ ବୋଝ ବଢ଼ି ଯାଇଛି। ବିଶ୍ୱରେ ଭାରତ ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ଦେଶ। ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଭାରତ ବିଦେଶରୁ ଆମଦାନୀ କରିଥାଏ। ଭାରତ ମୋଟ ତୈଳ ଆମଦାନୀର ୨୨ ପ୍ରତିଶତ ଇରାକ, ୧୬ ପ୍ରତିଶତ ସାଉଦୀଆରବ, ୯ ପ୍ରତିଶତ ୟୁଏଇ ଓ ଆମେରିକାରୁ ୮ରୁ ଅଣାଥାଏ। ତଥ୍ୟ ଅନୁସାରେ ଭାରତ ଗତ ୨୦୨୧ ମସିହାରେ ଋଷିଆରୁ ୧ କୋଟି ୨୦ ଲକ୍ଷ ବାରଲ ତୈଳ ଆମଦାନୀ କରିଥିଲା। ଯାହା ଦେଶର ମୋଟ ଆମଦାନୀର ମାତ୍ର ୨ ପ୍ରତିଶତ ଥିଲା। ତେବେ ସେତେବେଳ ଓ ଏବେକା ପରିସ୍ଥିତି ଭିନ୍ନ।

Related Posts