ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଇଛା ପ୍ରକାଶ କରିବା ପରେ, ଏବେ ତାଙ୍କ ହାରିବା ଚିନ୍ତା ରାଜ୍ୟ ବିଜେପିକୁ ଘାରିଛି | ଧର୍ମେନ୍ଦ୍ର ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ସମ୍ବଲପୁରରୁ ଲଢ଼ିବାକୁ ଧର୍ମେନ୍ଦ୍ର ଭିତିରିଆ ଯୋଜନା କରୁଥିବା କୁହାଯାଉଛି | ଆଉ ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଦେବାପାଇଁ ଏବେ ସମ୍ବଲପୁର ଲୋକସଭା ମଣ୍ଡଳୀର ବିଜେପି ନେତାଙ୍କ ମେଳି ଆରମ୍ଭ ହୋଇଛି | ଆଉ ଗତଥର ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଦେବଗଡ଼ର ରାଜା ନୀତେଶ ଗଙ୍ଗଦେବଙ୍କୁ ଏବେ ଜିଲ୍ଲାର ନେତାମାନେ ଫୁଲ ଦମରେ ସାଇଡ ମାରିବା ଆରମ୍ଭ କରିଦେଇଛନ୍ତି |
ଦେବଗଡ଼ର ବିଜେପି ବିଧାୟକ ଏନେଇ ଖୁଲମଖୁଲା ମନ୍ତବ୍ୟ ଦେଇଛନ୍ତି | ସମ୍ବଲପୁର ଆସନ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠାରୁ ସୁରକ୍ଷିତ ବୋଲି ସୁବାସ କହିଥିବା ବେଳେ, ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିଲେ ବର୍ତ୍ତମାନର ସାଂସଦ ନୀତେଶ କଣ କରିବେ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ | ଏହାର ଅଜବ ଉତ୍ତର ଦେଇ ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ନୀତେଶ ଗୃହବନ୍ଦୀ ହୋଇ ରହିବେ | ନୀତେଶଙ୍କ ପତ୍ନୀ ଦେବଗଡ ବିଧାନସଭା ପାଇଁ ବିଜେଡି ଟିକେଟ ଲବିରେ ଥିବା ସୁବାସ କହିଛନ୍ତି |
ତେବେ ଏନେଇ ନୀତେଶ ଗଙ୍ଗଦେବ କିମ୍ବା ତାଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସମ୍ବଲପୁର ରାଜନୀତି କିନ୍ତୁ ସରଗରମ ହୋଇଛି | ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିବା ଏଯାଏଁ ଫାଇନାଲ ହୋଇନଥିବା ବେଳେ ଏବେଠୁ ନୀତେଶଙ୍କୁ ବିଜେପି ସାଇଡ ମାରିବା ଆରମ୍ଭ କରିଦେଇଛି | ଏଭଳି ସ୍ଥିତିରେ ଆଗକୁ ସମ୍ବଲପୁରରେ ବିଜେପି ରାଜନୀତି କେଉଁ ମୋଡ଼ ନେଉଛି ଏବେ ତାହାରି ଉପରେ ନଜର |





