ଜଣେ କର୍ମନିଷ୍ଠ ଠିକା ସରକାରୀ କର୍ମଚାରୀଙ୍କ କରୁଣ ଅନ୍ତ

Dinabandhu 1

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତି ସଞ୍ଜୀବ ମିତ୍ତଲଙ୍କ ପ୍ରକୋଷ୍ଠ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କୁଳପତିଙ୍କ ଦୁର୍ବ୍ୟବହାର ଅସହ୍ୟ ହେବାରୁ ସେ ଏପରି କରିଛନ୍ତି ଓ ଏଥିପାଇଁ କେବଳ ପ୍ରଫେସର ହିଁ ଦାୟୀ ବୋଲି ଭିମସାରରେ ପୁଲିସକୁ କହିଛନ୍ତି ।
ତେବେ ଗତ ୨୭ ବର୍ଷ ଧରି ଦିନବନ୍ଧୁ କଂପ୍ୟୁଟର ଟେକ୍ନିକାଲ ଆସିଷ୍ଟାଣ୍ଟ ଭାବେ କାମ କରି ଆସୁଥିଲେ । ଚାକିରୀରୁ ମାତ୍ର ୫ ହଜାର ଦରମାରେ ନିଜ ପରିବାର ପ୍ରତିପଷୋଣ କରୁଥିଲେ । ଚାକିରୀକୁ ସ୍ଥାୟୀ କରିବା ପାଇଁ ବାରମ୍ବାର ସରକାର ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପାଖରେ ଗୁହାରି ଜଣାଇଥିଲେ । କିନ୍ତୁ ତାଙ୍କ ଗୁହାରୀ ଦୀର୍ଘଦିନ ଧରି ଫଳପ୍ରଦ ହୋଇପାରିନଥିଲା । ଅନ୍ୟପଟେ ନ୍ୟାୟ ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ।
ତେବେ କିଛିଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ସମ୍ମୁଖରେ ବ୍ୟାପକ ଗଛ କଟା ହୋଇଥିଲା । ଏ ନେଇ କୌଣସି ଅନୁମତି ବନବିଭାଗ ଠାରୁ ନିଆଯାଇନଥିଲା ଏବଂ ଶତାଧିକ ଗଛକୁ କାଟି ପୋଡି ଦିଆଯାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କୂଳପତି ତାଙ୍କୁ ନିଜ ପ୍ରକୋଷ୍ଠକୁ ଡାକିଥିଲେ । ସେଠାରେ ଦୀନବନ୍ଧୁଙ୍କର ଏସବୁ ପଛରେ ହାତ ଥିବା ସନ୍ଦେହ କରି ତାଙ୍କୁ ପ୍ରବଳ ଗାଳିଗୁଳଜ କରିଥିଲେ ।

ଅନ୍ୟପଟେ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ବିଭିନ୍ନ ଜିନିଷ ଚୋରି ହେବା ଘଟଣା କୂଳପତିଙ୍କୁ ଜଣାଇଥିଲେ । ଏପରି କରିବା ଦ୍ୱାରା ସେ ପ୍ରଂଶସାର ପାତ୍ର ପାଲଟିବାର ଆଶା ରଖିଥିଲେ । ତେବେ ତାହା ନହୋଇ ତାହାର ବିପରୀତ ଘଟିଥିଲା । ଦୀନବନ୍ଧୁଙ୍କୁ ପ୍ରବଳ ଗାଳିଗୁଳଜ କରି ସମସ୍ତ ଚୋରି ଜିନିଷର ଦାୟୀ ସେ ନିଜେ ବୋଲି କହିଥିଲେ । ଏପରି ଅନେକ କିଛି କଥା କହି ଦୀନବନ୍ଧୁଙ୍କୁ ନିଜ ରୁମରୁ ବାହାରି ଯିବା ପାଇଁ କହିଥିଲେ କୂଳପତି । ତେବେ ଦୀର୍ଘ ବର୍ଷଧରି ନିଜର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଓ ସଚ୍ଚୋଟ ପଣିଆର ଫଳସ୍ୱରୁପ ଦୀନବନ୍ଧୁଙ୍କୁ ଏହା ମିଳିଥିଲା । ଏହି ଘଟଣାକୁ ସ୍ୱୟଂ ଦିନବନ୍ଧୁ ସହ୍ୟ ନ କରି ପାରି କୂଳପତିଙ୍କ ରୁମ ସମ୍ମୁଖରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଅନ୍ୟମାନେ କିଛି ବୁଝି ଦୀନବନ୍ଧୁଙ୍କୁ ବଞ୍ଚାଇବା ବେଳେ ଦେହର ୯୦ ପ୍ରତିଶତ ଅଂଶ ଜଳି ଯାଇଥିଲା । ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ଓ ପରେ ପରେ ତାଙ୍କୁ ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ନିଜ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୂଳପତିଙ୍କୁ ଦାୟୀ କରିଥିଲେ ଦୀନବନ୍ଧୁ । ଏହାର ଜବାବ ରଖି କୂଳପତି କହିଥିଲେ, ମୁଁ ତାଙ୍କୁ କୌଣସି ଗାଳିଗୁଳଜ କରି ନାହିଁ ବରଂ ତାଙ୍କୁ ଏ ବାବଦରେ ଥାନାରେ ରିପୋର୍ଟ ଦେବା ପାଇଁ କହିଥିଲି । ଏହା ଶୁଣିବା ପରେ, ଆପଣମାନେ ଚୋରମାନଙ୍କ ସହ ମିଶିଛନ୍ତି ବୋଲି କହିଥିଲେ ଦୀନବନ୍ଧୁ । ଏହା ଶୁଣି ମୁଁ ରାଗିଯାଇ ତାଙ୍କୁ ରୁମରୁ ବାହାର କରି ଦେଇଥିଲି । ତେବେ ଦୀର୍ଘଦିନ ଧରି ସ୍ୱଳ୍ପ ଦରମାରେ ଅସ୍ଥାୟୀ ଭାବରେ ଚାକିରୀ କରିବା ଓ ବାରମ୍ବାର ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ କରି କୌଣସି ସଫଳ ନ ହେବା । ତଥାପି ନିଜ କାର୍ଯ୍ୟ ଓ ନିଜର ସଚ୍ଚୋଟ ପଣିଆ ନୀତିରେ ଏହାର କୌଣସି ବିପରୀତ ପ୍ରଭାବ ପଡିନଥିଲା । ଏବେ ପ୍ରଶ୍ନ ଉଠୁଛି କାହଁକି ଦୀର୍ଘଦିନ ଧରି ଦୀନବନ୍ଧୁଙ୍କୁ ସ୍ଥାୟୀ କରାଯାଉନଥିଲା ? ଆଉ ଓଡିଶାରେ ଦୀନବନ୍ଧୁ ଭଳି କେତେ ଜଣ ଅଛନ୍ତି ? କର୍ତ୍ତବ୍ୟନିଷ୍ଠ କାର୍ଯ୍ୟର ଫଳ କଣ ମୃତ୍ୟୁ ? ଅନ୍ୟପଟେ ଦୀନବନ୍ଧୁଙ୍କୁ ନ୍ୟାୟ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନେ ବିକ୍ଷୋଭ କରିଛନ୍ତି । ଅନ୍ୟପଟେ ଦୀନବବନ୍ଧୁଙ୍କର ପୁଅ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହଫଳରେ ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟ ଦୁଇ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଦୁଇ କର୍ମଚାରୀ ହେଲେ ହଷ୍ଟେଲ ୱାର୍ଡେନ ପ୍ରଫେସର ବିଶ୍ୱଜିତ ଶତପଥୀ ଓ ବିଶ୍ୱବିଦ୍ୟାଳୟର ପିଇଓ ଅବିନାଶ କର ।

Related Posts