ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର । ଯେଉଁଥିରେ ସେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ପୁଣି ଥର ଆରମ୍ଭ କରିବାକୁ କହିଛନ୍ତି । ଜୟପୁରର ମେଟ୍ରୋ ପ୍ରକଳ୍ପ ଅନୁସାରେ ଓଡ଼ିଶାରେ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।ସସ୍ମିତ ପାତ୍ର କହିଛନ୍ତି ଯେ, ବୁଧବାର କେନ୍ଦ୍ର କ୍ୟାବିନେଟରେ ଜୟପୁର ମେଟ୍ରୋ ଫେଜ-୨ ପାଇଁ ୧୩ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଏସପିଭି ଅନୁଯାୟୀ ପାଖାପାଖି ସାଢେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ଏବଂ ବାକି ସାଢେ ୬କୋଟିର ଖର୍ଚ୍ଚ ବହନ କରିବେ ରାଜସ୍ଥାନ ସରକାର। ଅପର ପକ୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଓଡ଼ିଶା ମେଟ୍ରୋ (ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ) ପ୍ରୋଜେକ୍ଟର ଖର୍ଚ୍ଚ ୨୦୨୪ ମସିହାରେ ଥିଲା ୬,୨୫୫ କୋଟି ଟଙ୍କା। ଯାହାକି ଜୟପୁରର ମେଟ୍ରୋ ମଡେଲ ଠାରୁ ଅଧାରୁ ଆହୁରି କମ୍। ଯଦି ଜୟପୁର ମଡେଲରେ କେନ୍ଦ୍ର ସରକାର ଅଧା ଖର୍ଚ୍ଚ ବହନ କରିପାରିବେ ତାହେଲେ ଡବଲ ଇଞ୍ଜିନ୍ ସରକାରରେ ମାତ୍ର ୩ ହଜାର କୋଟି ବହନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।