ଭୋଟ ପାଇଁ ଯୋଜନା ! କେନ୍ଦ୍ର ସହ ୬ ରାଜ୍ୟକୁ ସୁପିମକୋର୍ଟଙ୍କ ନୋଟିସ

ସତ୍ୟପାଠ ବ୍ୟୁରୋ : ଓଡିଶାର କାଳିଆ ଯୋଜନା ଭଳି କିଛି ଯୋଜନାକୁ ନେଇ ନୋଟିସ ଜାରୀ କରିଛନ୍ତି ସୁପ୍ରିମକୋର୍ଟ । କାଳିଆ, ପିଏମ୍ କିଷାନ, ରୟତବନ୍ଧୁ, ମୁଖ୍ୟମନ୍ତ୍ରୀ କୃଷି ଯୋଜନାକୁ ନେଇ ନୋଟିସ ହୋଇଛି । ପେଣ୍ଟାପାଲି ପୁଲାରାଓଙ୍କ ପିଟିସନକୁ ଗ୍ରହଣ କରି ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାର, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ , କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ସରକାରଙ୍କ ସହ ସିଇସିଙ୍କୁ ମଧ୍ୟ ନୋଟିସ ହୋଇଛି ।

ନିର୍ବାଚନ ସମୟରେ ଭୋଟରଙ୍କ ଆକାଉଣ୍ଟକୁ ଟଙ୍କା ଗଲା । କେବେ ଚାଷୀ ନାଁରେ କେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ । କେବଳ ଓଡିଶାରେ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ ଏମିତି ହେଉଥିଲା ଡାଇରେକ୍ଟ ଟ୍ରାନ୍ସଫର । ନିର୍ବାଚନ ସମୟରେ ଏଭଳି ଲୋଭନୀୟ ଟଙ୍କା ବଣ୍ଟା ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପେଣ୍ଟାପାଲି ପୁଲାରାଓ । ଆନ୍ଧ୍ରର ଏଲୁରୁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ପୁଲାରାଓ ବିନା ବଜେଟ ଆବଣ୍ଟନରେ ଘୋଷଣା ହୋଇଥିବା ଏହି ଯୋଜନାକୁୁ ସିଧାସଳଖ ଦୁର୍ନୀତି ବୋଲି ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାକୁ ଉଦାହରଣ ଭାବେ ଉଲ୍ଲେଖ କରି ପୁଲାରାଓ ଦର୍ଶାଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟ ମଧ୍ୟ ଏହିଭଳି ଲୋଭନୀୟ ସ୍କିମ୍ ଜରିଆରେ ଟଙ୍କା ବାଣ୍ଟିଥିଲେ । ଯାହା ଶାସକ ଦଳକୁ ପୁଣିଥରେ କ୍ଷମତାକୁ ଆସିବାରେ ସହଯୋଗ କରିଛି ।

ପିଏମ୍ କିଶାନ ନିଧୀ ଯୋଜନା ମାଧ୍ୟମରେ ୧୨କୋଟି ଚାଷୀଙ୍କୁ ୩ଟି କିସ୍ତୀରେ ୬ହଜାର ଟଙ୍କା ଲେଖାଏଁ ବଣ୍ଟାଯିବାକୁ ଘୋଷଣା ହୋଇଥିଲା । ନିର୍ବାଚନର ମାତ୍ର ୩ମାସ ପୂର୍ବରୁ ଡିସେମ୍ବର ୧, ୨୦୧୮ରେ ଏହା ଘୋଷଣା ହୋଇଥିଲା । ଏମିତିକି ଏପ୍ରିଲ ମାସରେ ନିର୍ବାଚନ ସମୟରେ ଦ୍ୱିତୀୟ କିସ୍ତୀ ବାବଦକୁ ୨ହଜାର ଟଙ୍କା ଚାଷୀଙ୍କୁ ଦିଆଯାଇଛି । ଠିକ୍ ସେମିତି ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ।

ଭାରତୀୟ ନିର୍ବାଚନ ଆୟୋଗଙ୍କ କୌଣସି କଟକଣା ବିନା ଆନ୍ଧ୍ରପଦେଶ ସରକାର ୯୪ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ହଜାର ଲେଖାଏଁ ୯୪୦୦ କୋଟି ଟଙ୍କା ବାଣ୍ଟିଛି । ପଶୁପୁ କୁଙ୍କୁମ ଯୋଜନାରେ ଏହି ଟଙ୍କା ବଣ୍ଟାଯାଇଥିବା ଉଲ୍ଲେଖ କରିଛନ୍ତି ଆବେଦନକାରୀ । ୨୦୧୯ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଯୋଜନା କେବଳ ନିର୍ବାଚନ ସମୟରେ ଲୋକଙ୍କୁ ଟଙ୍କା ବାଣ୍ଟିବା ପାଇଁ ଲଂଚ ହୋଇଥିଲା ବୋଲି ସେ କହିଛନ୍ତି । ଓଡିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଝାରଖଣ୍ଡ ମଧ୍ୟ ସମାନ ଢ଼ଙ୍ଗରେ ଟଙ୍କା ବାଣ୍ଟିଛନ୍ତି ।

ଓଡିଶାର କାଳିଆ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଉଦାହରଣ ଭାବେ ମଧ୍ୟ ନିଆଯାଇଛି । କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକଉଣ୍ଟକୁ ଟଙ୍କା ଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଛି । ସେହିଭଳି ତେଲେଙ୍ଗାନାର ରୟତ ବନ୍ଧୁ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ କୃଷି ଯୋଜନା କଥା ମଧ୍ୟ ଆବେଦନକାରୀ ଉଲ୍ଲେଖ କରିଛନ୍ତି ।

ଆବେଦନକାରୀ ଦର୍ଶାଇଛନ୍ତି ଯେ, ନିର୍ବାଚନ ସମୟରେ ଏଭଳି ଟଙ୍କା ବଣ୍ଟା ଆଦର୍ଶ ଆଚରଣ ବିଧୀର ଉଲ୍ଲଂଘନ । ଭାରତୀୟ ଜନ ପ୍ରତିନିଧୀ ଆଇନ ୧୯୫୧ର ସେକ୍ସନ ୧୨୩ (୧) ଅନୁସାରେ ଗିଫ୍ଟ, ଅଫର୍ ବା ପ୍ରତିଶ୍ରୁତି ଦେଇ ନିଜ ଆଡକୁ ଭୋଟ ଦେବାକୁ ପ୍ରଲୋଭନ ଦେଖାଇବା ଦଣ୍ଡନୀୟ ଅପରାଧ । ତେଣୁ ଏଭଳି ଟଙ୍କା ବଂଟାକୁ ଦୁର୍ନୀତି ବୋଲି ବିବେଚନା କରିବାକୁ ସେ ଆବେଦନ କରିଛନ୍ତି । ଏହାସହ ନିର୍ବାଚନର ୬ ମାସ ପୂର୍ବରୁ ଯୋଜନା ଘୋଷଣା କରାଯିବାକୁ ଗାଇଡଲାଇନ ଆଣିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ଆଦେବନକାରୀ ଆବେଦନ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାର, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ , କର୍ଣ୍ଣାଟକ ପଶ୍ଚିମବଙ୍ଗ ସରକାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରୀ କରିଛନ୍ତି ।

Related Posts