ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନିଦ୍ଦିଷ୍ଟ କାଳ ପାଇଁ ବାଣପୁର ଏନଏସି ଅଞ୍ଚଳରେ ଲାଗୁ ହେଲା ୧୪୪ ଧାରା । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ବାଣପୁର ଏନଏସି ଅଞ୍ଚଳରେ ଏହି କଟକଣା ଲାଗୁ କରିଛନ୍ତି । ତେବେ ଉକ୍ତ ଅଂଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରା ଲାଗୁ ରହିବ । ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ସେପଟେ ଉତ୍ତରପ୍ରଦେଶ ଲଖିମପୁର ଖେରି ଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ୟ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୋଲିସର ସୂଚନା ଅନୁସାରେ, ୧୫ ବିଜେପି କର୍ମୀ ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି ।
ସେହିପରି ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବାଲୁଗାଁ ଏସଡିପିଓ ସ୍ପଷ୍ଟ କରିଛନ୍ତି ।





