ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଖାନ୍ଦିପୋରା ଅଞ୍ଚଳରେ ମୁହାମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ: ଜଣେ ଆତଂକବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଖାନ୍ଦିପୋରା ଅଞ୍ଚଳରେ ମୁହାମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ତେବେ ଏଥିରେ ନିରାପତ୍ତା ବଳକୁ ମିଳିଛି ସଫଳତା । ଗୁଳିବିନିମୟରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ହିଜ୍‌ବ୍‌-ଉଲ୍‌-ମୁଜାହିଦୀନ୍‌’ର ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ହିଜ୍‌ବ୍‌-ଉଲ୍‌-ମୁଜାହିଦୀନ୍‌’ର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ରାତି ପାହାନ୍ତା ପୂର୍ବରୁ ଖାନ୍ଦିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ସଂଘଠିତ ହୋଇଥିଲା।

ସେହିପରି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳା ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅଭିଯାନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ‘ଲଶ୍କର୍‌-ଏ-ତୈବା’ର ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

ଗିରଫ ଆତଙ୍କବାଦୀମାନଙ୍କଠାରୁ ଉଦ୍ଧାର କରାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ୨ଟି ଚୀନ୍‌ ନିର୍ମିତ ପିସ୍ତଲ୍‌, ୧୮ଟି ଅଫୁଟା ଗୁଳି ଏବଂ ୨ ରାଉଣ୍ଡ୍‌ ମାଗାଜିନ୍‌। ସେମାନଙ୍କ ନାମରେ ମାମଲା ରୁଜୁ କରିବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Related Posts