ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଏଥିପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କିନ୍ତୁ ଏସବୁ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଯାତ୍ରା ସମୟରେ ତ୍ରିରଙ୍ଗା ନେଇ ଯାଉଥିବା କଂଗ୍ରେସ ସେବା ଦଳର ନେତା କୃଷ୍ଣ କୁମାର ପାଣ୍ଡେଙ୍କର ମୃତ୍ୟୁ ଘଟିଛି।
ପାଣ୍ଡେ ସର୍ବ ପୁରାତନ ଦଳର ତୃଣମୂଳ ସ୍ତରର କଂଗ୍ରେସର ସେବା ଦଳର ସାଧାରଣ ସଚିବ ଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ପଦଯାତ୍ରା ସମୟରେ ପାଣ୍ଡେ ତଳେ ପଡିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହାର୍ଟ ଅଟାକ ଦ୍ଵାରା ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ପାଣ୍ଡେ ଜଣେ କଂଗ୍ରେସ କର୍ମୀ ଥିଲେ ଏବଂ ନାଗପୁରରେ ଆରଏସଏସ ବିରୋଧରେ ଲଢୁଥିଲେ। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଛନ୍ତି। ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି ଯେ, କଂଗ୍ରେସ ସେବା ଦଳ ସାଧାରଣ ସମ୍ପାଦକ କୃଷ୍ଣକାନ୍ତ ପାଣ୍ଡେ ଜୀଙ୍କ ମୃତ୍ୟୁ ସମଗ୍ର କଂଗ୍ରେସ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ। ଦଳ ପାଇଁ ତାଙ୍କର ତ୍ୟାଗ ଓ ସମର୍ପଣ ଅତୁଳନୀୟ। ମୁଁ ତାଙ୍କ ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ଏହି ଅବସରରେ, ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା କଂଗ୍ରେସର ସମସ୍ତ ନେତା କୃଷ୍ଣ କୁମାର ପାଣ୍ଡେଙ୍କ ମରଶରୀର ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
