ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): ସିପିସିବିର ସର୍ଜିକାଲ ଷ୍ଟ୍ରାଇକ୍, ବାରମ୍ବାର ନିୟମ ଉଲ୍ଲଂଘନ ପରେ ସିପିସିବିର ବଡ଼ କାର୍ଯ୍ୟାନୁଷ୍ଠାନ।
- ପ୍ରଦୂଷଣ ନିୟମକୁ ଫୁ’ : ଶ୍ୟାମ ମେଟାଲିକ୍ସକୁ ସିପିସିବିର ‘କ୍ଲୋଜର ନୋଟିସ’
- କାଗଜ କଲମରେ ZLD, ବାସ୍ତବରେ ବାହାରକୁ ବହୁଛି ବିଷାକ୍ତ ପାଣି: ଧରାପଡ଼ିଲା ଶ୍ୟାମ ମେଟାଲିକ୍ସର କାରନାମା
- କଠୋର ହେଲା ସିପିସିବି; ତୁରନ୍ତ ବିଦ୍ୟୁତ ସଂଯୋଗ କାଟିବାକୁ ନିର୍ଦ୍ଦେଶ
- ରେଙ୍ଗାଲି ଶ୍ୟାମ ମେଟାଲିକ୍ସରେ ପଡ଼ିବ ତାଲା: ବାରମ୍ବାର ନିୟମ ଉଲ୍ଲଂଘନ ପରେ ସିପିସିବିର ବଡ଼ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରିବେଶ ସୁରକ୍ଷା ଆଇନ, ୧୯୮୬ ର ଧାରା ୫ ଅନୁଯାୟୀ ବୋର୍ଡ ଏହି ଶିଳ୍ପ ସଂସ୍ଥାକୁ ତୁରନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ନିୟମ ଉଲ୍ଲଂଘନ ଏବଂ ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତା ଯୋଗୁଁ ଏହି ଚରମ ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ସିପିସିବିର ଏକ ସ୍ୱତନ୍ତ୍ର ଟିମ୍ କାରଖାନା ପରିସର ପରିଦର୍ଶନ କରିଥିଲେ। ଏହି ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, କାରଖାନାରୁ ନିର୍ଗତ ଧୂଆଁ ଓ ବର୍ଜ୍ୟବସ୍ତୁ ପରିବେଶ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ବିଶେଷ କରି:
• ଧୂଆଁ ନିର୍ଗମନ: ବିଭିନ୍ନ ଷ୍ଟାକରୁ ନିର୍ଗତ ହେଉଥିବା ବାୟୁ ପ୍ରଦୂଷଣକାରୀ ତତ୍ତ୍ୱ ନିର୍ଦ୍ଧାରିତ ସୀମାଠାରୁ ବହୁ ଅଧିକ ରହିଛି।
• ଜଳ ପ୍ରଦୂଷଣ: କାରଖାନାକୁ ‘ଜିରୋ ଲିକ୍ୱିଡ୍ ଡିସଚାର୍ଜ’ (ZLD) ନିୟମ ପାଳନ କରିବାକୁ କୁହାଯାଇଥିଲେ ମଧ୍ୟ ପ୍ଲାଣ୍ଟ ବାହାରକୁ ବିଷାକ୍ତ ପାଣି ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା।
• ବର୍ଜ୍ୟବସ୍ତୁ ପରିଚାଳନା: ବିପଜ୍ଜନକ ବର୍ଜ୍ୟବସ୍ତୁ ଏବଂ ଫ୍ଲାଏ ଆଶ୍ (Fly Ash) କୁ ଖୋଲା ସ୍ଥାନରେ ଅସୁରକ୍ଷିତ ଭାବେ ରଖାଯାଇଥିଲା, ଯାହା ମୃତ୍ତିକା ଓ ଭୂତଳ ଜଳ ପ୍ରଦୂଷଣର କାରଣ ସାଜିଛି।
ପୂର୍ବରୁ ୨୦୨୪ ଅଗଷ୍ଟରେ କୋଲକାତା ଆଞ୍ଚଳିକ ନିର୍ଦ୍ଦେଶାଳୟର ଯାଞ୍ଚ ପରେ ୨୦୨୫ ମେ’ ମାସରେ କିଛି ସଂସ୍କାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଶ୍ୟାମ ମେଟାଲିକ୍ସ କର୍ତ୍ତୃପକ୍ଷ ସେହି ନିର୍ଦ୍ଦେଶଗୁଡ଼ିକୁ ସୂଚାରୁ ରୂପେ ପାଳନ କରିନଥିଲେ। ଏପରିକି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ର ସର୍ତ୍ତାବଳୀକୁ ମଧ୍ୟ ଅଣଦେଖା କରାଯାଇଥିବା ସିପିସିବି ରିପୋର୍ଟରେ ଉଲ୍ଲେଖ ରହିଛି।
ସିପିସିବି ଅଧ୍ୟକ୍ଷ ବୀର ବିକ୍ରମ ଯାଦବଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ଯେ, ବୋର୍ଡର ଲିଖିତ ଅନୁମତି ବିନା କାରଖାନା ପୁନର୍ବାର କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ବିଦ୍ୟୁତ ବିଭାଗକୁ ମଧ୍ୟ ପ୍ଲାଣ୍ଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀକୁ ଏହାର ଜବାବ ରଖିବା ପାଇଁ ୩୦ ଦିନ ସମୟ ଦିଆଯାଇଛି। ପରିବେଶ ନିୟମ ଉଲ୍ଲଂଘନ କରୁଥିବା ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏହା ଏକ ଶକ୍ତ ଚେତାବନୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।