କୋଭୋଭାକ୍ସ ଟିକାକୁ ବୁଷ୍ଟର ଡୋଜ୍ ରୂପେ ବ୍ୟବହାର ପାଇଁ ଡିଜିସିଆଇକୁ ଅନୁମତି ମାଗିଲା ସେରମ ଇନଷ୍ଟଚ୍ୟୁଟ୍ ଅଫ୍ ଇଣ୍ଡିଆ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ବିଏଫ.୭ ପ୍ରବେଶ କରିଛି। ଏହି ଭୂତାଣୁ ଯେପରି ଭାରତରେ କାୟା ବିସ୍ତାର ନ କରୁ ଏଥିପାଇଁ କେନ୍ଦ୍ର ଓ ରଜ୍ୟସରକାରମାନେ ତତ୍ପର ହୋଇ ଉଠିଛନ୍ତି। ଏହାରି ଭିତରେ ଆଉ ଏକ ଟିକା କରୋନା କବଚ ହେବାକୁ ପ୍ରସ୍ତୁତ ହୋଇଥିବା ବେଳେ ଅନୁମତି ଅପେକ୍ଷାରେ ରହିଛି। ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ରୂପେ ବ୍ୟବହାର ପାଇଁ ଅନୁମତି ଦେବାକୁ ଭାରତୀୟ ଔଷଦ ମହାନିୟନ୍ତ୍ରକ(ଡିଜିସିଆଇ)ଙ୍କୁ ଚିଠି ଲେଖିଛି କମ୍ପାନୀ।

କୋଭୋଭାକ୍ସକୁ ପ୍ରାପ୍ତ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍‌ ରୂପେ ବ୍ୟବହାର କରିହେବ। ଯେଉଁମାନେ ପୂର୍ବରୁ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ନେଇସାରିଥିବେ ସେମାନେ କୋଭୋଭାକ୍ସର ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଚିଠିରେ ଉଲ୍ଲେଖ କରିଛି।

ସୂଚନା ଥାଉକି ସ୍ୱଦେଶୀ ଜ୍ଞାନ କୌଶଳରେ କୋଭୋଭାକ୍ସ ଟିକା ନିର୍ମିତ ହୋଇଛି। ବାୟୋଟେକ୍ନୋଲୋଜୀ କମ୍ପାନୀ ନୋଭୋଭାକ୍ସ ଏହି ଭ୍ୟାକ୍ସିନକୁ ଆବିଷ୍କାର କରିଥିବା ବେଳେ ସେରମ ଇନଷ୍ଟଚ୍ୟୁଟରେ ଏହାକୁ ତିଆରି କରାଯାଇଛି। ଏହା ଏକ ରିକମ୍ବିନାଣ୍ଟ ପ୍ରୋଟେନ ଟିକା। ଯାହା ମଣିଷ ଶରୀର ସହଜରେ ମିଶିଯିବା ସହ ସାର୍ସ-କୋଭ-୨ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ତିଆରି କରିବ।

ଏହା ପୂର୍ବରୁ ୨୦୨୧ ଡିସେମ୍ବର ମାସରେ କୋଭୋଭାକ୍ସକୁ ବୁଷ୍ଟର ଡୋଜ୍‌ ରୂପେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାହାକୁ ଦର୍ଶାଇ ଏହାକୁ ବୁଷ୍ଟର ଡୋଜ୍‌ ରୂପେ ବ୍ୟବହାର କରିବାକୁ ଡିଜିସିଆଇଙ୍କ ଠାରୁ ଅନୁମତି ମାଗିଛି କମ୍ପାନୀ।

Related Posts