ଭୁବନେଶ୍ୱର, ୨୬ ମାର୍ଚ୍ଚ:ରାଜ୍ୟର ରାଜନୈତିକ ପଟଭୂମିରେ ପୁଣିଥରେ ଦଳବଦଳର ଚର୍ଚ୍ଚା ଜୋର ଧରିଛି। ଗଜପତିରେ ବିଜୁ ଜନତା ଦଳ ନିଜ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସକ୍ଷମ ହୋଇଛି। ଆଜି ଏଠାରେ ଶତାଧିକ ବିଜେପି କର୍ମୀ ଦଳ ଛାଡ଼ି ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।ଗଜପତିର ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଶାଣୀ ବ୍ଲକର ରମ୍ପା ପଞ୍ଚାୟତ ସରପଞ୍ଚ ଝୁନି ସବର ଓ ନିରଞ୍ଜନ ସବରଙ୍କ ସମେତ ବହୁ କର୍ମୀ ଶଙ୍ଖ ଭବନରେ ବିଜେଡିରେ ଯୋଗଦାନ କରିଥିଲେ। ଦଳରେ ଯୋଗଦାନ ପରେ ଏହି କର୍ମୀମାନେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ତାଙ୍କର ନୀତି-ଆଦର୍ଶରେ ପ୍ରେରିତ ହୋଇ ସେମାନେ ବିଜେଡିକୁ ବାଛିଛନ୍ତି। ଆଗାମୀ ଦିନରେ ଗଜପତିରେ ଦଳକୁ ଆହୁରି ମଜବୁତ କରିବା ପାଇଁ ସେମାନେ କାମ କରିବେ ବୋଲି କହିଛନ୍ତି।ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନେତୃତ୍ୱରେ ହଜାର ହଜାର ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତାମାନେ ଯଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସୁର ମହାପାତ୍ର, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଭୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲ୍ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।





