“ମୁଁ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି?”; ୟୁଜରଙ୍କ ମତାମତ ଲୋଡିଲେ ମସ୍କ୍

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରଠାରୁ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସେବେଠାରୁ ଟ୍ୱିଟରରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ଖବର ଆସୁଛି ଯେ ଏଲନ୍‌ ମସ୍କ ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି ନୁହେଁ, ସେନେଇ ଟ୍ୱିଟର ବ୍ୟବହାରକାରୀ ତାଙ୍କର ମତାମତ ଦେବା ପାଇଁ ଏକ ଟୁଇଟ୍ କରିଛନ୍ତି। କେବଳ ଏତିକି ନୁହେଁ ବରଂ ୟୁଜର୍ସଙ୍କ ମତାମତକୁ ଅନୁସରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ମସ୍କ। ଟ୍ୱିଟର ସିଇଓ ଭାବରେ ମସ୍କଙ୍କ କାର୍ଯ୍ୟକାଳ ହରଡ଼ଘଣାରେ ଥିବା କୁହାଯାଉଛି।

ସୁଚନାଥାଉକି, ଟ୍ବିଟରରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିବାଦରେ ଥିବା ଅନେକ ଲୋକ ଏବଂ ସଂଗଠନର ଟ୍ବିଟର ଆକାଉଣ୍ଟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା। ମସ୍କ ପ୍ରଥମେ କହିଥିଲେ ଯେ, ସେ ଟ୍ବିଟରର ସିଇଓ ଭାବରେ ଦିର୍ଘ ସମୟ ଧରି କାମ କରିବାକୁ ଚାହୁଁନଥିଲେ। ଯେଉଁଥିରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ସେ ଏବେ ଅନ୍ୟ କାହାକୁ ଟ୍ବିଟରର ଦାୟିତ୍ବଭାତ ଦେବେ। ମସ୍କ ବିଶେଷତଃ ଟେସ୍‌ଲା, ସ୍ପେସ୍‌ ଏକ୍ସ, ଦ ବୋରିଙ୍ଗ କମ୍ପାନୀ, ନ୍ୟୂରାଲିଙ୍କ ଓ ମସ୍କ ଫାଉଣ୍ଡେସନ୍‌ର ସିଇଓ ଅଟନ୍ତି। ଅନ୍ୟ କମ୍ପାନୀ ଗୁଡ଼ିକୁ ଅଣଦେଖା କରୁଥିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି।

ସୂଚନାଯୋଗ୍ୟ ଯେ, ଟ୍ବିଟରର ସିଇଓ ଭାବରେ ଥିବା ଏଲନ୍‌ ମସ୍କଙ୍କ କାର୍ଯ୍ୟକାଳ ଆରମ୍ଭରୁ ହିଁ ବିବାଦୀୟ ରହିଆସିଛି। ଟ୍ବିଟରରେ ସେ ତାଙ୍କ କାର୍ଯ୍ୟକାଳ ଏକ ବଡ଼ ଧରଣର ଛଟାଇରୁ ଆରମ୍ଭ ହୋଇଥିଲା। ବକ୍ତବ୍ୟର ସ୍ବାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ଲାଟଫର୍ମର ବିଷୟବସ୍ତୁ ନିୟନ୍ତ୍ରଣ କ୍ଷମତାକୁ ବିଲୋପ କରି ସେ ଟ୍ୱିଟରରେ ମୌଳିକ ପରିବର୍ତ୍ତନ କରିଛନ୍ତି। ନିକଟରେ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ନିଲମ୍ବିତ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିବାକୁ ମତାମତ ମାଗିଥିଲେ। କିନ୍ତୁ ଭୋଟ ହେରଫେର କରିବାକୁ କୌଣସି ଉପାୟ ଆପଣେଇଥିଲେ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ବର୍ତ୍ତମାନ ଏଲନ୍‌ ନିଜ ପାଇଁ ମାଗିଥିବା ମତାମତରେ କି ଫଳ ପାଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Related Posts