ଏଣିକି ଅବିବାହିତ ଝିଅ ପିତାମାତାଙ୍କ ଠାରୁ ଦାବି କରିପାରିବ ବିବାହ ଖର୍ଚ୍ଚ: ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଅବିବାହିତ ଝିଅ ପିତାମାତାଙ୍କ ଠାରୁ ଦାବି କରିପାରିବ ବିବାହ ଖର୍ଚ୍ଚ । ଏପରକି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ଛତିଶଗଡ଼ ହାଇକୋର୍ଟ । ତେବେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ନିଜ ପିତାମାତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ। ସେପଟେ ହାଇକୋର୍ଟର ଏକ ଖଣ୍ଡପୀଠ ଛତିଶଗଡ଼ ଦୁର୍ଗ ଜିଲ୍ଲାର ମୂଳ ବାସିନ୍ଦା ଥିବା ୩୫ ବର୍ଷୀୟା ମହିଳା ରାଜେଶ୍ୱରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ଓକିଲ ଏ କେ ତିୱାରୀ କହିଛନ୍ତି ଯେ ମାର୍ଚ୍ଚ ୨୧ରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌତମ ଭଦୁରୀ ଏବଂ ଜଷ୍ଟିସ ସଞ୍ଜୟ ଏସ ଅଗ୍ରୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଅନୁମତି ଦେଇଥିଲେ। ଶୁଣାଣି ପରେ ଏହି ମାମଲାରେ ରାୟ ପ୍ରଦାନ କରି ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଆଇନ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ପିତାମାତାଙ୍କ ଠାରୁ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ।

ଏହି ମାମଲାରର ଶୁଣାଣି କାଳରେ ଖଣ୍ଡପୀଠ ୨୨ ଅପ୍ରେଲ ୨୦୧୬ରେ ଦୁର୍ଗ ପାରିବାରିକ ଅଦାଲତର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶକୁ ଅଲଗା କରି ୧୯୫୬ ଅଧିନିୟମର ଧାରା ୩(ଖ)(୨)ର ଅନୁଯାୟୀ ଏହାର ବିଚାର ପାଇଁ ଏହି ମାମଲାକୁ ପାରିବାରିକ ଅଦାଲତକୁ ଆଉଥରେ ପଠାଇବା ସହ ଅଦାଲତ ପକ୍ଷମାନଙ୍କୁ ପାରିବାରିକ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ମାମଲାର ବିବରଣୀରୁ ପ୍ରକାଶ, ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଜଣେ କର୍ମଚାରୀ ଭାନୁ ରାମଙ୍କ ଝିଅ ରାଜେଶ୍ୱରୀ ଦୁର୍ଗ ପରିବାର ଅଦାଲତରେ ଏକ ଆବେଦନ କରିଥିଲେ ଏବଂ ବିବାହ ଖର୍ଚ୍ଚ ବାବଦରେ ତାଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କାର ରକ୍ଷଣାବେକ୍ଷଣ ଦେବାକୁ ଦାବି କରିଥିଲେ। ପାରିବାରିକ ଅଦାଲତ ୭ ଜାନୁଆରି ୨୦୧୬ରେ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ଏହି ଆଇନରେ କୌଣସି ବ୍ୟବସ୍ଥା ନାହିଁ ଯେ ଜଣେ ଝିଅ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ।

ରାଜେଶ୍ୱରୀ ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କ ପିତା ଭାନୁ ରାମ ଅବସର ନେବାକୁ ଯାଉଛନ୍ତି ଏବଂ ଅବସରକାଳୀନ ପ୍ରାପ୍ୟ ଭାବରେ ୫୫ ଲକ୍ଷ ଟଙ୍କା ପାଇବାର ସମ୍ଭାବନା ରହିଛି। ତେଣୁ ତାଙ୍କ ପିତାଙ୍କ ନିଯୁକ୍ତିଦାତା ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ତାଙ୍କ ସପକ୍ଷରେ ୨୦ ଲକ୍ଷ ଟଙ୍କା ଅବସର କାଳୀନ ପ୍ରାପ୍ୟର ଏକ ଅଂଶ ରୂପେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ତେବେ, ପାରିବାରିକ ଅଦାଲତ ଆଇନରେ ଏପରି କୌଣସି ବ୍ୟବସ୍ଥା ନଥିବା କହି ଏହି ଆବେଦନକୁ ଖାରଜ କରି ଦେଇଥିଲେ।
ପରବର୍ତ୍ତୀ ସମୟରେ ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ରାଜେଶ୍ୱରୀ ହାଇକୋର୍ଟରେ ଆବେଦନ କରି କହିଥିଲେ ଯେ ଆଇନ ଅନୁଯାୟୀ, ଜଣେ ଅବିବାହିତ ଝିଅ ତାଙ୍କ ପିତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ ଏବଂ ଦାବି କରିଥିଲେ ଯେ ଏହି ଖର୍ଚ୍ଚ ରକ୍ଷଣାବେକ୍ଷଣ ଅଧୀନରେ ଆସୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

Related Posts