ରାଜସ୍ଥାନରୁ ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ, ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ପ୍ରଥମଥର ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା । ଆଜି ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ । ନାମାଙ୍କନ ବେଳେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ରହିବେ ।

ବର୍ତ୍ତମାନ ଲୋକସଭା ସାଂସଦ ଥିବା ସୋନିଆ ଗାନ୍ଧୀ, ରାଜସ୍ଥାନରୁ ରାଜ୍ୟସଭା ଯିବା ପରେ ତାଙ୍କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା । ୨୦୦୪ରୁ ରାଏବରେଲି ଆସନରୁ ଜିତି ଆସୁଛନ୍ତି ସୋନିଆ ଗାନ୍ଧୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ରାଜସ୍ଥାନର ୩ଟି ଆସନ ଖାଲି ହେବାକୁ ଯାଉଛି । ଏହି ୩ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବେ । ସଂଖ୍ୟା ଗଣିତର ଆକଳନ ଅନୁସାରେ ୨ଟି ଆସନ ବିଜେପି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଜିତିବାର ସଂଭାବନା ରହିଛି । ତେବେ ସାରା ଦେଶରେ ୫୬ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ୧୦ଟି ଆସନରେ କଂଗ୍ରେସ ଜିତିପାରେ । ତେଲେଙ୍ଗାନାରୁ ୨, କର୍ଣ୍ଣାଟକରୁ ୩, ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ବିହାରୁ ଗୋଟିଏ ଲେଖାଏଁ ଆସନରୁ ବିଜୟୀ ହୋଇପାରେ କଂଗ୍ରେସ ।

Related Posts