ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।
ସୌମ୍ୟ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ୍ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ସପ୍ତାହେ ଧରି ମାହୋଲ ତିଆରି ହୋଇଥିଲା।
ପ୍ରଥମେ ଦଳର ବରିଷ୍ଠ ନେତା ଅରୁଣ ସାହୁ, ଅତୁନ ସବ୍ୟସାଚୀ ନାୟକ, ପ୍ରତାପ ଦେଓ, ଶ୍ରୀମୟି ମିଶ୍ର, ଲେନିନ ମହାନ୍ତି ଓ ଅମର ପଟ୍ଟନାୟକଙ୍କ ମାଧ୍ୟମରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା।
ତେବେ ବାରମ୍ବାର ଶାଣିତ ସମାଲୋଚନା କରୁଥିବା ସୌମ୍ୟଙ୍କ ବିରୋଧରେ ବିଜେଡି କାହିଁକି କଠୋର ଆଭିମୁଖ୍ୟ ପୋଷଣ କରି ପାରୁନି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସୌମ୍ୟ ଖୋଲାଖୋଲି ଭାବେ ତାଙ୍କୁ ଦଳରୁ କାଢ଼ିବା ଆହ୍ୱାନ ଦେଇ ସାରିଥିବା ବେଳେ ଦଳ ତାଙ୍କୁ ବିଦା କରି ପାରୁନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।





