‘କାଳିଆ’ ପାଇଁ ସର୍ବାଧିକ, ଏଥର ରାଜ୍ୟ ବଜେଟ୍‌ରେ କ’ଣ ରହିଛି ଖାସ୍‌ ?

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗୁରୁବାର ବିଧାନସଭାରେ ଚାରି ମାସ ପାଇଁ ଅନ୍ତରୀଣ ବା କାମଚଳା ବଜେଟ୍ ଆଗତ କରିଛନ୍ତି । ନିର୍ବାଚନୀ ବର୍ଷ ଥିବାରୁ ସରକାର ପ୍ରଥମ ୪ ମାସ ପାଇଁ ୫୬, ୯୨୧ କୋଟି ଲେଖାନୁଦାନ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ‘ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି । ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ରାଜ୍ୟବାସୀଙ୍କୁ ଫଳପ୍ରଦ ଓ ଦକ୍ଷ ସେବା ପାଇଁ ଥ୍ରୀଟି ଉପରେ ଗୁରୁତ୍ଵ ଦିଆଯାଉଛି । କୃଷକମାନଙ୍କ ଆୟ ଦ୍ଵିଗୁଣିତ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ୨୦୧୮-୧୯ରେ ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୮.୩୫ ପ୍ରତିଶତ ରହିଛି । ୨୦୦୫ଠାରୁ ରାଜ୍ୟ କ୍ରମାଗତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି ।

ବଜେଟରେ ସାମାଜିକ ସୁରକ୍ଷା ଭତ୍ତା ୨ ଶହ ଟଙ୍କା ବୃଦ୍ଧି କରାଯାଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ମାଧ୍ୟମରେ ସମସ୍ତଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ସେବାର ବ୍ୟବସ୍ଥା କରାଯାଇଛି । ୩ଟି ମେଡିକାଲ କଲେଜରେ ସିଟ୍ ବୃଦ୍ଧି କରାଯିବା ସହିତ ୪ଟି ନୂଆ ମେଡିକାଲ କଲେଜ ଘୋଷଣା ହୋଇଛି ।

‘କାଳିଆ’ ପାଇଁ ସବୁଠୁ ଅଧିକ

ରାଜ୍ୟ ବଜେଟରେ କାଳିଆ ଯୋଜନା ଉପରେ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା ପାଇଁ ବଜେଟରେ ୪୪୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷକ କେମିତି କମ୍‌ ସୁଧରେ ଋଣ ପାଇ ପାରିବେ ସେଥିାପାଇଁ କୃ଼ଷି ଋଣରେ ସୁଧ ରିହାତି ପାଇଁ ୮୦୦ କୋଟି ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଯୋଜନା ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୦୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

‘ପିଠା’ ପାଇଁ 400 କୋଟି

ଆମ ଗାଁ, ଆମ ବିକାଶରେ ‘ପିଠା’ ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଡ଼ିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି, ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି, ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତିକରଣ ପାଇଁ ୪୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ

କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଟକ୍କର ଦେବା ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି, ପାର୍ବତୀ ଗିରି ବୃହତ୍‌ ଉଠା ଜଳ ସେଚନ ପାଇଁ ୧୭୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଚାରି ମାସ ପାଇଁ ଆଗତ ଏହି ଲେଖାନୁଦାନରେ ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମଧୁବାବୁ ପେସନସନ ଓ ବସୁଧା ଯୋଜନା

ଏହି ଲେଖାନୁଦାନରେ ୩୩/୧୧ କେଭି ବିଦ୍ୟୁତ୍ ଉପକେନ୍ଦ୍ର ସ୍ଥାପନ ପାଇଁ ୫୩୩ କୋଟି , ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଶୁଦ୍ଧ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବସୁଧା ଯୋଜନାରେ ୨୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ମଧୁବାବୁ ପେସନସନ ଯୋଜନା ପାଇଁ ୨୧୨୦ କୋଟି, ମିଶନ ଶକ୍ତି ପାଇଁ ୩୦୧ କୋଟି, ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି

୨୦୧୯-୨୦ ପାଇଁ ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ରଖାଯାଇଛି । ୨୦୧୯-୨୦ରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭୮୪ କୋଟି ଟଙ୍କା ରଖାଯାଇଛି । ଆର୍ଥିକ ବର୍ଷର ପୁଞ୍ଜି ଖର୍ଚ୍ଚ ମୋଟ୍ ଘରୋଇ ଉତ୍ପାଦନର ୪.୪ ପ୍ରତିଶତ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ୨୦୧୯-୨୦ରେ ୧,୧୦,୭୧୦ କୋଟି ରାଜସ୍ଵ ପ୍ରାପ୍ତି ଲକ୍ଷ୍ୟ ରଖାଯାଇଛି ।

‘80 ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି’

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଦିଆଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ଅର୍ଥରୁ ସଂସ୍ଥାଗୁଡିକୁ ୬,୪୯୦ କୋଟି ଟଙ୍କା ଦିଆଯିବ । ଗତ ୧୦ ବର୍ଷରେ ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ

ବିତ୍ତୀୟ ନିଅଣ୍ଟ ୧୬,୧୯୩ କୋଟି

୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ୧୬,୧୯୩ କୋଟି ଟଙ୍କା ରହିଛି । ପ୍ରଶାସନିକ ଅଟକଳରେ ଦରମା ବାବଦକୁ ୨୫ ହଜାର ୫୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପେନସନ ବାବଦରେ ୧୩ ହଜାର ୩୩୦ କୋଟି, ଋଣ ପରିଶୋଧ ଲାଗି ୬ ହଜାର ୫୦୦ କୋଟି, ମେଣ୍ଟେନାନ୍ସ ଓ କ୍ୟାପିଟାଲ ଏକ୍ସପେନ୍ସ ବାବଦରେ ୪ ହଜାର ୮୮୦ କୋଟି ଟଙ୍କା ବ୍ୟବସ୍ଥା ରହିଛି । ୨୦୧୯-୨୦ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Related Posts