ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ସ୍କ୍ରାପିଂ ପଲିସି ବିରୋଧରେ ପୁଣି ସରକାରଙ୍କୁ ନାଲି ଆଖି ଦେଖାଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଆସନ୍ତା ଜାନୁୟାରୀ ୧୬ ତାରିଖ ସୁଦ୍ଧା ଏହି ସ୍କ୍ରାପିଂ ପଲିସିକୁ ହଟାଅ । ନଚେତ୍‌, ୧୭ ତାରିଖ ସକାଳୁ ରାଜ୍ୟର ରାସ୍ତାରେ ଗୋଟିଏ ବି ବସ୍‌ ଗଡି଼ବନି। ଅନିର୍ଦ୍ଦିଷ୍ଟ କାଳ ଘରୋଇ ବସ୍‌ ସେବା ବନ୍ଦ ରହିବ। ଏହି ଚେତାବନୀକୁ ବୁଧବାର ପୁଣି ଦୋହରାଇଛି ସଂଘ ।

୫ ନମ୍ବର ଜୋନ୍‌ରେ ଆସୁଥିବା ପୁରୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ରାମଚଣ୍ଡୀ, କାକଟପୁର, ଲିଙ୍ଗରାଜ, ରାଜଧାନୀ ଟାଉନ୍‌ ବସ୍‌, ନିମାପଡ଼ା, ନିରାକାରପୁର, ରାଜସୁନାଖଳା, ଦଶପଲ୍ଲା ଭଳି ୧୬ଟି ଆଞ୍ଚଳିକ ବସ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ବୈଠକ ଚାଲିଥିଲା ।

ବୈଠକ ପରେ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ବଡ଼ କମ୍ପାନୀକୁ ମାଲାମାଲ କରାଇବାକୁ ସରକାର ଏହି ସ୍କ୍ରାପିଂ ପଲିସିର ଷଡ଼ଯନ୍ତ୍ର ରଚିଛନ୍ତି । ଯେଉଁଥିରେ ଅନେକ ଲୋକ ରୋଜଗାର ହରାଇବେ । ହଜାର ହଜାର ଗାଡି଼ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବ । ସାଧାରଣ ଲୋକ ବି ପରୋକ୍ଷରେ ପ୍ରଭାବିତ ହେବେ ।

ଏହାସହିତ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜାତୀୟ ରାଜପଥ ଅବସ୍ଥା ଅତି ଖରାପ । ଏହାଦ୍ୱାରା ବସ୍‌ଗୁଡି଼କ ଦୁର୍ଘଟଣା ହେଉଛି । ମାଲିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । ମରାମତି ବଦଳେ ସରକାର ସ୍କ୍ରାପିଂ ପଲିସି ଆଣି ରାସ୍ତାରୁ ବସ୍‌, ଟ୍ରକ ହଟାଇବା ଯୋଜନାରେ ଲାଗିଛନ୍ତି । ସେହିପରି ବସ୍‌ରୁ ପାର୍କିଂ ଫି’ ଛାଡ଼, ସ୍ଲିପର ବସ୍‌କୁ ଦିନ ବେଳା ଚଳାଚଳ କରିବାକୁ ଅନୁମତି, ଜାତୀୟ ଓ ରାଜ୍ୟ ରାଜପଥରୁ ‘ମୋ ବସ୍‌’ ହଟାଇବା ଭଳି ଦାବି ରଖାଯାଇଛି । ହକି ବିଶ୍ୱକପ୍‌ ବେଳେ ସରକାର ଯେମିତି ଅକଳରେ ନପଡି଼ବେ, ସେଥିପ୍ରତି ଧ୍ୟାନ ଦେଇ ସମସ୍ତ ଦାବି ମାନି ନେବାକୁ ସଂଘ ଚେତାଇଛି । ବୈଠକରେ ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର ସାହୁ ଓ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।