ଆଗକୁ ଆସୁଛି ପାର୍ବଣ ଋତୁ ସଜାଗ ରୁହ : ସେପ୍ଟେମ୍ବର ୩୦ ଯାଏଁ କୋଭିଡ୍‌ କଟକଣା ବୃଦ୍ଧି କରିଵାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କିଛି କିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ଯାଏ କରୋନା କଟକଣା ବୃଦ୍ଧି କରିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯେମିତି କୌଣସି ସ୍ଥାନରେ ଭିଡ଼ ନ ଜମିବ, ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାର ମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆଗାମୀ ପୂଜାପର୍ବାଣି ବେ‌ଳାରେ ଯେମିତି ଅତ୍ୟଧିକ ଜନସମାଗମ ନ ହୁଏ, ସେଥିପ୍ରତି ସୁନିଶ୍ଚିତ ରହିବା ପାଇଁ ମଧ୍ୟ ଗୃହ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ସୁନିଶ୍ଚିତ ହେବାକୁ କହିଛି। ଯଦି ଆବଶ୍ଯକ ପଡେ ତେବେ ସମ୍ଭାବ୍ୟ ଜନସମାଗ ସ୍ଥଳରେ ସ୍ଥାନୀୟ ଭାବେ କଟକଣା ଜାରି କରିବା ପାଇଁ ମନ୍ତ୍ରାଳୟ କହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରନ୍ତୁ। ସେଗୁଡ଼ିକ ହେଲା-ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର।

କୋଭିଡର ଉଚିତ ବ୍ୟବହାର ହେଲା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜରର ବ୍ୟବହାର କରିବା। ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଗାଇଡଲାଇନରେ କୁହାଯାଇଛି।

ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ , କିଛି କିଛି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଜାତୀୟସ୍ତରରେ ମହାମାରୀ ସ୍ଥିତି ସ୍ଥିର ରହିଛି। ଅଧିକନ୍ତୁ, କେତେକ ଜିଲ୍ଲାରେ ସମୁଦାୟ ସକ୍ରିୟ ସଂକ୍ରମଣ ମାମଲା ଏବଂ ଅଧିକ ପଜିଟିଭିଟି ହାର ଉଦ୍‌ବେଗଜନକ ରହିଛି।

ତଥାପି ଦେଶର କିଛି ଜିଲ୍ଲାରେ ଆକ୍ଟିଭ କେସ୍‌ ଓ ପିଜିଟିଭିଟି ରେଟ ବଢ଼ୁଛି। ତେଣୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ତେଣୁ ଏହାକୁ ରୋକିବାକୁ ସମସ୍ତେ ପଦକ୍ଷେପ ନେବା ଦରକାର। ସକ୍ରିୟ କଣ୍ଟେନମେଣ୍ଟ ଦ୍ୱାରା ସଂକ୍ରମଣ ରୋକାଯାଇ ପାରିବ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟ ସରକାରମାନେ ଯେମିତି ଭିଡ଼ ଅଧିକ ନ ହେବ, ତା’ର ବ୍ୟବସ୍ଥା କରିବେ। ନିୟମକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବେ। ”

Related Posts