ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ୀଭୂତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥି ପାଇଁ ଓଡ଼୍ରାଫ୍, ଅଗ୍ନିଶ୍ରମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗୁଡିକୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ । ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ।
ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରମାନଙ୍କରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ୍ ଭାବେ ସଂଯୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ରେନ ଉପରୁ ଜବର ଦଖଲ ହଟାଇବା, ଡ୍ରେନ୍ ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ କୁହାଯାଇଥିଲା ।
