ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକାରେ ଠିକାଦାର ମୃତ୍ୟୁମାମଲା ପ୍ରସଙ୍ଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏନେଇ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ଇଶ୍ୱରପ୍ପା ଦୋଷୀ ସାବ୍ୟସ୍ତ ହେଲେ ହିଁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ସନ୍ତୋଷଙ୍କ ଶବବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ଆରମ୍ଭ ହେଉ। ଏହି ଅନୁସନ୍ଧାନର ଫଳାଫଳକୁ ଆଧାର କରି ଆମେ ଆଗକୁ କ’ଣ କରିବୁ ତାହା ସ୍ଥିର କରିବୁ।

ଏହି ପ୍ରସଙ୍ଗକୁ ନେଇ ଉପରୁ କୌଣସି ଚାପ ପକାଯାଉଛି କି ବୋଲି ପଚରାଯିବାରୁ ବୋମ୍ମାଇ କହିଛନ୍ତି, ମୁଁ କୌଣସି ପ୍ରକାରର ଚାପରେ ନାହିଁ। ହାଇ କମାଣ୍ଡର ଏହା ସହ କୌଣସି ସମ୍ପର୍କ ନାହିଁ। ଏହା କେବଳ ପ୍ରାଥମିକ ଅନୁସନ୍ଧାନ ଉପରେ ନିର୍ଭାର କରେ, ଯାହାକୁ ଆଧାର କରି ନିଷ୍ପତ୍ତି ନିଆଯିବ। ଇଶ୍ୱରପ୍ପା କ୍ୟାବିନେଟରେ ଥିବାବେଳେ ନିରପେକ୍ଷ ଅନୁସନ୍ଧାନ ସମ୍ଭବ ହେବ କି ନାହିଁ ବୋଲି ପଚରାଯିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ କିମ୍ବା ମୁଁ ଯାହା ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଘଟଣାର ସତ୍ୟତା କ’ଣ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।