ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି। ଏହି ପିଟିସନରେ ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦ’ ଏବଂ ‘ଧର୍ମନିରପେକ୍ଷ’ ଭଳି ୨ଟି ଶବ୍ଦକୁ ହଟାଇବା ପାଇଁ ସେ ନିବେଦନ କରିଛନ୍ତି। ତେବେ ୧୯୭୬ରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ୪୨ତମ ସମ୍ବିଧାନ ସଂଶୋଧନ ଦ୍ବାରା ଏହି ୨ଟି ଶବ୍ଦ ‘ସମାଜବାଦ’ ଏବଂ ‘ଧର୍ମନିରପେକ୍ଷତା’କୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରାଯାଇଥିଲା। ତେବେ ଏହାର ବୈଧତାକୁ ସ୍ବାମୀ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି।

ଏନେଇ ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍‌ କରି ତାଙ୍କ ରିଟ୍‌ ପିଟିସନ୍‌ ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସ୍ବାମୀ କହିଛନ୍ତି ଯେ, ୧୯୪୯ ମସିହାରେ ଡକ୍ଟର ଆମ୍ବେଦକର ଉପରୋକ୍ତ ୨ଟି ଶବ୍ଦକୁ ସମ୍ବିଧାନ ସଭାରେ ସାମିଲ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଇମର୍ଜେନ୍ସି ସମୟରେ ଇନ୍ଦିରା ଗାନ୍ଧି ଏହି ୨ଟି ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରିଥିଲେ। ତେବେ ସ୍ବାମୀଙ୍କ ରିଟ୍‌ ପିଟିସନ୍‌ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଦାଖଲ କରାଯାଇଥିବା ସୂଚନା ମିଳିଛି।