ଇସ୍ରୋର ସବୁଠାରୁ କ୍ଷୁଦ୍ର ରକେଟ୍ SSLV-D2ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ସଫଳତାର ଆଉ ଏକ ପାହାଚ ଚଢିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)। ଲଞ୍ଚ୍ ହେଲା ଇସ୍ରୋର ସବୁଠାରୁ କ୍ଷୁଦ୍ର ରକେଟ୍ SSLV-D2 । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ କେନ୍ଦ୍ରର ପ୍ରଥମ ଲଞ୍ଚ୍ ପ୍ୟାଡରୁ ସ୍ମଲ୍ ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(SSLV)ର ଦ୍ବିତୀୟ ସଂସ୍କରଣର ସଫଳ ଉତ୍‌କ୍ଷେପଣ ହୋଇଛି । ଶୁକ୍ରବାର ସକାଳ ୯ଟା ୧୮ମିନିଟ୍ ରେ SSLV-D2ର ଉତ୍‌କ୍ଷେପଣ କରାଯାଇଥିବା ନେଇ ସୂଚନା ରହିଛି ।

ଏହି ନୂତନ ରକେଟ୍ ତିନୋଟି ଉପଗ୍ରହ- ଇସ୍ରୋର ଇଓଏସ-୦୭, ଆମେରିକାର ଫାର୍ମ ଆଣ୍ଟାରିସ୍ ଜାନୁସ୍-୧ ଏବଂ ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ସର ଆଜାଦିସ୍ୟାଟ-୨କୁ ନେଇ ମହାକାଶକୁ ଉଡାଣ ଭରିଛି । ଇସ୍ରୋର ସୂଚନା ଅନୁସାରେ, ଏହି ନୂତନ ରକେଟ ୧୫ ମିନିଟର ଉଡ଼ାଣ ସମୟରେ ତିନୋଟି ଉପଗ୍ରହ ଇଓଏସ-୦୭, ଜାନୁସ୍-୧ ଏବଂ ଆଜାଦିସ୍ୟାଟ-୨ କୁ ୪୫୦ କିଲୋମିଟର ସର୍କୁଲାର କକ୍ଷପଥରେ ସ୍ଥାନିତ କରିବାକୁ ଚେଷ୍ଟା କରିବ ।

ସେହିପରି ଇସ୍ରୋ ଆହୁରି ମଧ୍ୟ କହିଛି ଯେ, ‘ଲଞ୍ଚ-ଅନ୍-ଡିମାଣ୍ଡ’ ଅର୍ଥାତ୍ ଉତ୍‌କ୍ଷେପଣର ଆଧାର ଅନୁସାରେ SSLV, ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ନିମ୍ନ ପୃଥିବୀ କକ୍ଷପଥରେ ଉପଗ୍ରହ ଉତକ୍ଷେପଣ କରିଥାଏ । SSLV ହେଉଛି ୩୪ ମିଟର ଲମ୍ବ, ୨ ମିଟର ବ୍ୟାସ ବିଶିଷ୍ଟ ଲଞ୍ଚ୍ ଯାନ, ଏହାର ଓଜନ ୧୨୦ ଟନ୍ । ଏହି ରକେଟ୍ ଏକ ଭେଲୋସିଟି ଟର୍ମିନାଲ୍ ମଡ୍ୟୁଲ୍ ସହିତ ପ୍ରସ୍ତୁତ ହୋଇଛି ।

ସୂଚନାଯୋଗ୍ୟ ଯେ, SSLVର ପ୍ରଥମ ସଂସ୍କରଣ SSLV-D1 କୁ ୨୦୨୨ ମସିହା ଅଗଷ୍ଟ ୭ରେ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହାକୁ ୭୫୦ ଜଣ ଛାତ୍ରୀ ପ୍ରସ୍ତୁତ କରିଥିଲେ । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏହି ସାଟେଲାଇଟର ଉତ୍‌କ୍ଷେପଣ କରାଯାଇ ଥିବାରୁ ଏହାର ନାମ ଆଜାଦିସ୍ୟାଟ୍ ରଖାଯାଇଛି । ସେତେବେଳେ SSLV-D1 ମାଧ୍ୟମରେ ୭୫ଟି ସାଟେଲାଇଟ୍‌କୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

Related Posts