ସିଏଏ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ମାଗିଲେ ଜବାବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ଲାଗିବନି ରୋକ୍। ଆଜି ସୁପ୍ରିମକୋର୍ଟ ସିଏଏ ସ୍ଥଗିତ ରଖିବାକୁ ହୋଇଥିବା ୨୦୦ରୁ ଅଧିକ ଆବେଦନର ଶୁଣାଣି କରି ଏସବୁକୁ ଖାରଜ କରି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ଆବେଦନ ଗୁଡିକ ଉପରେ ଜବାବ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ସିଏଏ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଳ୍ପସଂଖ୍ୟକମାନେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିଲେ ସେମାନଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବା ନେଇ ନାଗରିକତା ସଂଶୋଧନ ଆଇନ କେନ୍ଦ୍ର ସରକାର ପାରିତ କରାଇଥିଲେ।

ତେବେ ଏହି ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରିଥିଲେ। ଆଇନ କାର୍ଯ୍ୟକାରୀ ନେଇ ସରକାର ଘୋଷଣା କରିବା ପରେ କେତକ ବିରୋଧୀ ଦଳ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଆବେଦନକାରୀଙ୍କ ମଧ୍ୟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ଏବଂ କଂଗ୍ରେସର ବିରୋଧୀଦଳର ନେତା ଜୟରାମ ରମେଶ ଏବଂ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର ସାମିଲ ଥିଲେ।

ଆଜି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ସ୍ଥଗିତାଦେଶ ଆବେଦନକୁ ଖାରଜ କରି ଦେଇଛନ୍ତି|

Related Posts