ତଥାଗତଙ୍କୁ ଆଉ ଭଲ ଲାଗୁ ନାହାଁନ୍ତି ନବୀନ !

ସତ୍ୟପାଠ ବ୍ୟୁରୋ : ବିଜୁ ଜନତା ଦଳରେ ୧୫ ବର୍ଷ ବିତାଇବା ପରେ ତଥାଗତଙ୍କର ବୁଦ୍ଧି ଉଦୟ ହୋଇଛି । ଦଳର ଭଲମନ୍ଦ ବିଷୟରେ ଆଖିଖୋଲିଛି ଶତପଥୀ ବାବୁଙ୍କର । ଲାଗୁଛି ପରିବାରର ମୁଖ୍ୟ ନବୀନ ବାବୁ ବି ତାଙ୍କୁ ଆଉ ଭଲ ଲାଗୁ ନାହାଁନ୍ତି । ୨୦୦୦ ମସିହାରେ ଓଡିଶା ଗଣ ପରିଷଦରେ ଥାଇ ସେ ଯେମିତି କଟାକ୍ଷ କରୁଥିଲେ ଏବେ ଠିକ୍ ସେମିତି କିଛି ଦେଖିବାକୁ ମିଳୁଛି । ଦୈନିକ ଇଂରାଜୀ ଖବରକାଗଜ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’କୁ ତଥାଗତ ବାବୁ ଦେଇଥିବା ଏକ ସାକ୍ଷାତକାରକୁ ନେଇ ଏମିତି କିଛି କୁହାଯାଉଛି ।

ସାକ୍ଷାତକାରରେ ବିଜୁ ଜନତା ଦଳର ଗଠନ ଓ ନବୀନ ବାବୁଙ୍କ ଭବିଷ୍ୟତ ରାଜନୀତି ନେଇ ତଥାଗତ ମୁହଁ ଖୋଲିଛନ୍ତି । ୨୦୦୦ ମସିହା ବେଳେ ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳ ଉପରେ ଲୋକଙ୍କ ଭରଷା ଉଠି ସାରିଥିଲା । ତେଣୁ ସେତେବେଳେ ଏକ ଆଂଚଳିକ ଦଳର ଆବଶ୍ୟକତା ରହିଥିଲା । ଯାହା ନବୀନ ବାବୁଙ୍କ ପାଇଁ ସହାୟକ ହୋଇଥିଲା । ପୂର୍ବରୁ ଉକ୍ରଳ କଂଗ୍ରେସ ଓ ଜନ କଂଗ୍ରେସ ଭଳି ଆଂଚଳିକ ଦଳ ପ୍ରଭାବୀ ଥିବା ବେଳେ ଓଡିଶାରେ ଆଂଚଳିକ ଦଳର ଫାଇଦା ସବୁଠୁ ଅଧିକ ପାଇଛନ୍ତି ନବୀନ ପଟ୍ଟନାୟକ ।

ତଥାଗତଙ୍କ ମତରେ ବିଜୁ ଜନତା ଦଳ ପାଇଁ ବିଜୁ ଲିଗାସୀର କିଛି ଭୁମିକା ନାହିଁ । ଯେହେତୁ ଅନ୍ୟ ଦଳ ଉପରେ ଓଡିଶାର ଭୋଟରମାନେ ବିଶ୍ୱାସ ହରାଇ ସାରିଥିଲେ ତେଣୁ ବିଜେଡିକୁ ବିକଳ୍ପ ଭାବେ ବାଛିଥିଲେ । ଏଥିରେ କାହାରି ସେମିତି କିଛି ବିଶେଷ ଭୁମିକା ନାହିଁ ବା କାହାକୁ କ୍ରେଡିଟ୍ ଦେବା ବି ଦରକାର ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ମେଂଟ ଭାଙ୍ଗିଦେବା ପରେ ବିଜେପିକୁ ବି ଲୋକେ ଭୁଲିଗଲେ । ତଥାଗତଙ୍କ କହିବା କଥା ହେଲା ଓଡିଶା ଏପରି ଏକ ରାଜ୍ୟ ଯେଉଁଠି ଜାତୀୟ ଦଳ ଅପେକ୍ଷା ଆଂଚଳିକ ଦଳର ଗୁରୁତ୍ୱ ଅଧିକ ରହି ଆସିଛି । ବିଗତ ଦିନ ମାନଙ୍କରେ ଏହା ବହୁ ବଳିଷ୍ଠ ଉଦାହରଣ ରହିଛି । ଅବଶ୍ୟ ବଲାଙ୍ଗୀରର ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବା ଏହାର ଅନ୍ୟତମ ଉଦାହରଣ ଭାବେ ନିଆଯାଇପାରେ । ଏମିତିରେ ଉତ୍ତର ଭାରତରେ ରାଜୁତି କରୁଥିବା ହିନ୍ଦୀ ଦଳ ମାନଙ୍କୁ ଓଡିଶାର ଆଭରେଜ୍ ଭୋଟର ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଚର୍ଚ୍ଚାକୁ ନେଇ ତଥାଗତଙ୍କ ମତ ଜାଣିବାକୁ ଚାହିଁଥିଲେ ସାକ୍ଷାତକାର ନେଉଥିବା ସାମ୍ବାଦିକ । ତେବେ ତଥାଗତ ବୁଲେଇ ବଙ୍କେଇ କହିଥିଲେ, ଓଡିଶାର ଭୋଟର ସବୁବେଳେ ଆଂଚଳିକ ଦଳକୁ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ୨୦୨୪ରେ ନୂଆ ନେତୃତ୍ୱକୁ ରାଜ୍ୟ ଦେଖିପାରେ ବୋଲି କହି ଗୁଗଲୀ ଫିଙ୍ଗିଛନ୍ତି ଶତପଥୀ । ନେତୃତ୍ୱ କିଏ ନେବ ନକହି , ଯେ କେହି ବି ନେତୃତ୍ୱ ନେଇପାରେ କହି ତଥାଗତ ଖସିଯିବାକୁ ଚେଷ୍ଟା କରିଥିଲେ ବି ଧରାପଡି ଯାଇଛନ୍ତି ।

ତେବେ ସାକ୍ଷାତକାର ଆରମ୍ଭରୁ ଓଡିଶା ଭୋଟର ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଚାହୁଁଥିବା କହିଥିଲେ ତଥାଗତ । ସେହିଭଳି ଶେଷ ଆଡକୁ ପଟ୍ଟନାୟକ ସରକାରୟଙ୍କ ଫନୀ ମୁକାବିଲାକୁ ନେଇ ସେ କହିଛନ୍ତି, ନିର୍ବାଚନ ସମୟ ହୋଇଥିବାରୁ ବର୍ତ୍ତମାନ କୌଣସି ରାଜନୈତିକ ସରକାର ନାହିଁ । ସରକାରୀ ବାବୁମାନେ ନିଷ୍ପତି ନେଇଛନ୍ତି ଓ କାର୍ଯ୍ୟ କରିଛନ୍ତି । ଉପକୂଳ ଓଡିଶାର ଗ୍ରାମୀଣ ମାନଚିତ୍ର ବଦଳାଇ ଦେଇଛି ଫନୀ । ତା ସହ ପୁରୀ, ଭୁବନେଶ୍ୱର ଓ କଟକ ଭଳି ସହରକୁ ବି ବିଧ୍ୱସ୍ତ କରିଛି । ଏହାକୁ କେହି ଦେଖୁ ନାହାଁନ୍ତି । ଯେହେତୁ ଆନ୍ତର୍ଜାତୀୟ ସଂସ୍ଥାମାନେ ଫନୀ ମୁକାବିଲା ପାଇଁ ପ୍ରଂଶସା କରୁଛନ୍ତି ତେଣୁ ତାଙ୍କ ଉପରେ ମୋର ଭରସା ଅଛି ସେମାନେ ଭୁଲ କହୁ ନଥିବେ ।

ଶେଷରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀ ସଂପର୍କରେ ତଥାଗତ କହିଛନ୍ତି ସୀମାନ୍ତ ରାଜ୍ୟ ହୋଇ ନଥିବାରୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳୁନାହିଁ । କିନ୍ତୁ ଆନ୍ଧ୍ରପ୍ରଦେଶ ଓ ବିଶେଷକରି ଓଡିଶା ଭଳି ରାଜ୍ୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବା ଦରକାର । ତେବେ ଏହା କାହା ଦୟାରେ ନୁହେଁ ବରଂ ପରିସ୍ଥିତିକୁ ନଜରରେ ରଖି ପଦକ୍ଷେପ ନିଆଯିବା ଦରକାର ।

କହିବା ବାହୁଲ୍ୟ, ୨୦୦୦ ମସିହାରେ ଯେତେବେଳେ ନବୀନ ପଟ୍ଟନାୟକ ଓଡିଶା ରାଜନୀତିରେ ପ୍ରବେଶ କରି ସରକାର ଗଢ଼ିଲେ, ସେତେବେଳେ ତଥାଗତ ବାବୁ ଓଡିଶା ଗଣପରିଷଦରେ ଥିଲେ । ସେହି ସମୟରେ ତାଙ୍କ ମାଲିକାନାରେ ଥିବା ଦୈନିକ ଖବରକାଗଜ ‘ଧରିତ୍ରୀ’ରେ ସମାଲୋଚନାମୂଳକ ଖବର ପ୍ରକାଶ ପାଉଥିଲା । ପରେ ୨୦୦୪ ନିର୍ବାଚନର କିଛି ଦିନ ପୂର୍ବର ଅପ୍ରତ୍ୟାଶିତ ଭାବେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ଏହି ଦଳରୁ ୪ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Related Posts