ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ ସଂଘ। ୩ ଦଫା ଦାବି ନେଇ ଅନେକ ଦିନ ଧରି ଆନ୍ଦୋଳନ ଚାଲିଆସୁଥିଲା। ଫଳରେ ସ୍କୁଲରେ ପାଠପଢା କାର୍ଯ୍ୟ ପ୍ରଭାବିତ ହୋଇଥିଲା। ତେବେ ଡିସେମ୍ବର ସୁଦ୍ଧା ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି ପ୍ରାଥମିକ ଶିକ୍ଷକ ସଂଘ।
ଶିକ୍ଷକ ସଂଘର ଏପରି ନିଷ୍ପତ୍ତି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବାଟ ଫିଟିଛି। ପିଲାଙ୍କ ପାଠପଢା ବନ୍ଦ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ତେବେ ଆଲୋଚନାରେ ଯୋଗଦେବା ପାଇଁ ୮ଟି ଶିକ୍ଷକ ସଙ୍ଗଠନ ସହମତି ପ୍ରକାଶ କରିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଥିଲେ । ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଅଚଳ ହୋଇପଡ଼ିଛି।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ ଆଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିୟର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟରାଇବା ପରି ଦାବି ନେଇ ରାଜ୍ୟର ପାଖାପାଖି ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ ସମୂହରେ ଛୁଟିରେ ଯାଇ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠପ୍ ପଡ଼ିଥିଲା। ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ୍ଵ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିଲା। ଦାବି ପୂରଣ କରିବା ଏବଂ ପାଠପଢା ସ୍ଵାଭାବିକ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।





