ବାରଙ୍ଗ ତହସିଲରେ କୋଟି କୋଟି ଟଙ୍କାର ବାଲି ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ, ସନ୍ଦେହରେ ଜିଲ୍ଲାପାଳ ଓ ତହସିଲଦାର

ସତ୍ୟପାଠ ବ୍ୟୁରୋ, ୧୧/୧୧: ରାଜ୍ୟରେ ଖଣି ଦୁର୍ନିତୀ ଯେମିତି ଚାଲୁଥିଲା ଏବେ ବି ସରକାରୀ ବାବୁଙ୍କ ପ୍ରୋତ୍ସାହନ ରେ ସେମିତି ବେଧଡକ ଚାଲିଛି। ଶାହ କମିଶନଙ୍କ ରିପୋର୍ଟ ପରେ ଲୁହାପଥର ଓ ମାଙ୍ଗାନିଜ ଖଣି କେଲେଙ୍କାରୀ ଉପରୁ ନଜର ହଟେଇ ନୂଆ ତରିକାରେ ଏବେ ଚାଲିଛି ଘୋଟାଲା। ରାଜ୍ୟରେ ଏବେ ସବୁଠୁ ବଡ ଘୋଟାଲା ଚାଲିଛି ବାଲି ଖାଦାନ ଟେଣ୍ଡର ରେ। ବର୍ଷକ ହଜାର ହଜାର କୋଟି ଟଙ୍କାର ବେଆଇନ ବାଲି କାରବାର ଚାଲିଛି। ବାଲି ମାଫିଆଙ୍କ ବେଧଡକ କାରବାର ପଛରେ ରହିଛି ସରକାରୀ ବାବୁଙ୍କ ହାତ।

ଏହାର ସଦ୍ୟତମ ଉଦାହରଣ ହେଲା, କଟକ ଜିଲ୍ଲାପାଳ ଓ ବାରଙ୍ଗ ତହସିଲଦାରଙ୍କ ବିରୁଦ୍ଧରେ ଉଠିଥିବା ବଡ ଅଭିଯୋଗ। ଅଭିଯୋଗ ହେଉଛି ଯେ ବାରଙ୍ଗ ତହସିଲଦାର ଚଂଚକତା କରି କୋଟି କୋଟି ଟଙ୍କାର ବାଲି ଖାଦାନ ଲିଜ କୁ ବେଆଇନ୍ ଭାବରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା କୁ ଟେକି ଦେଇଛନ୍ତି।

ଅଭିଯୋଗର ଆଧାର ହେଲା, ଗତ ୧୯/୦୯/୨୦୨୨ ରେ ବାରଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୯୪ ରେ ନରଣପୁର ଏବଂ ବିଦ୍ୟାଧରପୁର ଦୁଇଟି ବାଲି ଖାଦାନ ର ୫ ବର୍ଷିଆ ଲିଜ ପାଇଁ ଟେଣ୍ଡର ଆହ୍ବାନ କଲା। ଏହି ଟେଣ୍ଡରକୁ ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି (ସଂଶୋଧନ) ଆଇନ ୨୦୨୨ ଅନୁଯାୟୀ ବିଜ୍ଞପ୍ତି ଜାରିକଲେ।

ବିଜ୍ଞତିରେ ସର୍ତ୍ତ ରହିଲା ଯେ, ଟେଣ୍ଡର ପକାଇବାର ଶେଷ ତାରିଖ ଦିନ ୧ ଘଟିକା, ୧୫/୧୦/୨୦୨୨ ଏବଂ ଟେଣ୍ଡର ଖୋଲିବାର ନିର୍ଘଣ୍ଟ ଅପରାହ୍ନ ୩ ଘଟିକା ୧୫/୧୦/୨୦୨୨. ନିୟମାନୁଯାୟୀ ସମସ୍ତ ଆବେଦନକାରୀଙ୍କ ଉପସ୍ଥିତିରେ ତହସିଲ ଅଫିସ ରେ ଜଉମୁଦ ଟେଣ୍ଡର ଗୁଡ଼ିକ ଖୋଲାଯିବ ଏବଂ ସର୍ବାଧିକ ରୟାଲଟି ଦେୟ ଦର୍ଶାଇଥିବା ବ୍ୟକ୍ତିଙ୍କୁ ସଇରାତ ଲିଜ ପ୍ରଦାନ କରାଯିବ।

ଗୁରୁତ୍ଵପର୍ଣ୍ଣ କଥା ହେଲା ଯେ ତହସିଲଦାର ଓଡ଼ିଶା ଲଘୁ ଖଣିଜ ରିହାତି ଆଇନକୁ ଉଲଂଘନ କରି ସମସ୍ତ ଆବେଦନକାରୀ ଙ୍କ ଉପସ୍ଥିତିରେ ଜଉମୁଦ ଟେଣ୍ଡରକୁ ନ ଖୋଲି ଚୁପ ଚାପ୍ ଭିତିରିଆ ଟେଣ୍ଡର ଖୋଲି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କୁ ଖାଦାନ ଲିଜ ଦେଇଦେଇଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ହୋଇଛି। ଆଇନ ରେ ଓପନ୍ ଟେଣ୍ଡର କଥା ଥିବା ବେଳେ ତହସିଲଦାର କାହିଁକି ରାତିଅଧିଆ କାହାକୁ ନ ଡାକି , ଟେଣ୍ଡର ଖୋଲିବା ପ୍ରକ୍ରିୟାର ଭିଡ଼ିଓ ରେକର୍ଡିଂ ନ କରି ସଇରାତ ଲିଜ କିଭଳି ଓ କାହା ସ୍ୱାର୍ଥରେ ଦେଲେ ବୋଲି ଅଭିଯୋଗ ହୋଇଛି।

ଖାଲି ସେତିକି ନୁହଁ, ଟେଣ୍ଡର ରେ କୁହାଗଲା, ନରଣପୁର ସଇରାତ ରେ ୫୬୦୦୦ କ୍ୟୁ. ମି ବାଲି ଏବଂ ବିଦ୍ୟାଧରପୁର ଖାଦାନ ରେ ୧,୧୦,୦୦୦ କ୍ୟୁବିକ ମିଟର ବାଲି ର ଅକ୍ସନ୍ ହେବବୋଲି। ଏବଂ ସେହି ଆଧାରରେ ସର୍ବନିମ୍ନ ରୟ।ଲଟି ୨୩୫ ଟଙ୍କା ସ୍ଥିର କରାଗଲା। ଏବଂ ସେହି ହିସାବରେ ଯିଏ ଟେଣ୍ଡର ପକାଇବ ସେ ନରଣପୁର ପାଇଁ ୧୮ କୋଟି ଏବଂ ବିଦ୍ୟାଧରପୁର ଖାଦାନ ପାଇଁ ୨୮ କୋଟି ଟଙ୍କା ର ଇନକମ୍ ଟ୍ୟାକ୍ସ ବା ସେତିକି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବ।

କିନ୍ତୁ ପରେ ଜଣାପଡ଼ିଲା ଯେ ବାସ୍ତବରେ ଦୁଇଟି ସୈରାତ ପାଇଁ ମୋଟ ୧,୬୬,୦୦୦ କ୍ୟୁବିକ୍ ମିଟର ବାଲି ଖନନ ପାଇଁ ପରିବେଶ ମଞ୍ଜୁରୀ ମିଳିନାହଁ। ମାତ୍ର ୫୬୦୦୦ କ୍ୟୁବିକ ମିଟର ପାଇଁ ମଞ୍ଜୁରୀ ମିଳିଥିବା ଜଣାପଡିଛି। ଯେତେବେଳେ ପରିବେଶ ମଞ୍ଜୁରୀ ମିଳିନାହିଁ ସେତେବେଳେ ତହସିଲଦାର ୧୬୬୦୦୦ କ୍ୟୂ ମିଟର ଲିଜ୍ ପାଇଁ ଟେଣ୍ଡର ଆହ୍ଵାନ କଲେ କାହିଁକି? ଅଭିଯୋଗ ହେଇଛି ଯେ ଯଦି ୧୬୬୦୦୦ କ୍ୟୁବୀକ୍ ମିଟର ପାଇଁ ଟେଣ୍ଡର ଦାକିବେ ତେବେ ଇନକମ ଟ୍ୟାକ୍ସ ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ର ପରିମାଣ ବି ବଢିଯିବ ତେଣୁ ବହୁ ଲୋକ ଟେଣ୍ଡର ପକେଇବେ ନାହିଁ। ସେଇ ଆଢ଼ୁଆଳରେ ଯାହା ସହ ଟେଣ୍ଡର ଫିକ୍ସିଂ କରିବା କଥା ତା ସହ ଫିକ୍ସିଂ କରିବାରେ ଅସୁବିଧା ରହିବ ନାହିଁ। ବାରଙ୍ଗ ତହସିଲଦାର ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନରଣପୁର୍ ଓ ବିଦ୍ୟାଧରପୁର ବାଲି ଖାଦାନ ଲିଜ ଦେବାପାଇଁ ପୂର୍ବ ଯୋଜନା ଅନୁଯାୟୀ ବିନା ପରିବେଶ ମଞ୍ଜୁରୀ ରେ ୧୬୬୦୦ କୂବିକ ମିଟର ବାଲି ଖନନ ର ଟେଣ୍ଡର ଡାକିଥିଲେ ବୋଲି ଅଭିଯୋଗ ହେଉଛି।

ସବୁଠୁ ବଡ଼ କଥା ହେଲା କଟକ ଜିଲ୍ଲାପାଳଙ୍କ ସନ୍ଦେହପୂର୍ଣ୍ଣ ଭୂମିକା। ଜିଲ୍ଲାପାଳଙ୍କୁ ଲଘୁ ଖଣିଜ ଦ୍ରବ୍ୟ ରିହାତି ଆଇନରେ ସମସ୍ତ କ୍ଷମତା ଏବଂ ଦାୟିତ୍ୱ ଦିଆଯାଇଛି ଯେ ଟେଣ୍ଡର ଲିଜରେ ସବୁପ୍ରକାର ସ୍ବଚ୍ଛତା ଅବଲମ୍ବନ କରିବାପାଇଁ। ମାତ୍ର ନରଣପୁର ଓ ବିଦ୍ୟାଧରପୁର ଶୈରାତ ଲିଜ ରେ ତହସିଲଦାର ଯେଭଳି ଚଂଚଳତା କରିଛନ୍ତି ତାହା ସମସ୍ତଙ୍କୁ ଜଳ ଜଳ କରି ଦେଖାଯାଉଛି, ହେଲେ କଟକ ଜିଲ୍ଲାପାଳ ଯେଭଳି ମୌନବ୍ରତ ଧାରଣ କରିଛନ୍ତି ତାହା ତାଙ୍କୁ ଅଧିକ ସନ୍ଦେହ ଘେରକୁ ଟାଣୁଛି। ଟେଣ୍ଡର ପ୍ରକ୍ରିୟାରେ ଖୁଲମଖୁଲା ଆଇନକୁ ଭଙ୍ଗାଗଲା ଅଥଚ ଜିଲ୍ଲାପାଳ ଚୁପ୍। ତହସିଲଦାର ଙ୍କ ମେରୀ ରାୟ ରେ ଓଡ଼ିଶା ସରକାରଂକ ନିୟମକୁ ମୋଡି ମକଚି ଦିଆଗଲା ଅଥଚ ତହସିଲଦାରଙ୍କୁ ଜିଲ୍ଲାପାଳ ଏ ଯାଏଁ ଜବାବ ତଲବ ନ କରି ସୁରକ୍ଷା ଦେବାପଛର କାରଣ କଣ?

ଏ ନେଇ ବାରଙ୍ଗ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Posts