ଜମ୍ମୁ-କଶ୍ମୀରରେ ସେନା ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଏକ ସେନା ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଯାହାଫଳରେ ୫ ଜଣ ଯବାନ ପ୍ରାଣ ହରାଇଥିଲେ। ତେବେ ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଆସିଛି ଏକ ନୂଆ ମୋଡ଼ । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।

ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସେନା ଟ୍ରକଟି ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଅପରାହ୍ଣ ୩ଟା ବେଳେ କେତେକ ଅଜ୍ଞାତ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଫାୟାରିଂ କରିଥିଲେ ।ଖରାପ ପାଗ ଓ ଅସ୍ପଷ୍ଟ ବାତାବରଣର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ବୋଲି ନର୍ଦର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି ।

ପ୍ରଥମେ ଅନୁମାନ କରାଯାଉଥିଲା ଯେ ବଜ୍ରପାତ କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି ।

ଏହି ଦୁର୍ଘଟଣା ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେଥିରେ ଦେଖାଯାଉଛି ଯେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳୁଛି । ସେନାର ଆଉ ଏକ ଟ୍ରକରେ ଯବାନମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ସେପଟେ ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଅଟକି ଯାଇଛି ।

Related Posts