ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟରେ ନିଶା କାରବାର ବୃଦ୍ଧିକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ବିରୋଧୀମାନେ ରାଜ୍ୟ ସରକାର ଙ୍କୁ ସମାଲୋକଚନା କରିବା ସହ ନିଶା ମାଫିଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି | ‘ନିଶାଦ୍ରବ୍ୟରେ ବୁଡିଛି ସାରା ଓଡିଶା, ଗରିବ ମହିଳାଙ୍କ କିଏ ହେବ ସାହାଭରଷା’, ଏସମ୍ପର୍କିତ ମୁଲତବୀ ପ୍ରସ୍ତାବ ବିଜେପି ଦଳ ପକ୍ଷରୁ ଆଗତ ହୋଇଥିବା ବେଳେ ଏଥିରେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ଭାଗ ନେଇ କହିଛନ୍ତି ଯେ ନିଶା ସେବନ କ୍ଷେତ୍ରରେ ଦେଶରେ ଓଡିଶା ତୃତୀୟ ସ୍ଥାନରେ ଅଛି। ରାଜ୍ୟରେ ୧୦ରୁ ୭୫ ବର୍ଷ ମଧ୍ୟରେ ୩୧ ପ୍ରତିଶତ ଲୋକ ନିଶା ସେବନ କରୁଛନ୍ତି । ସମ୍ପୂର୍ଣ୍ଣ ଜନସଂଖ୍ୟାର ୧୦.୪ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି । ଗଞ୍ଜେଇ ଚୋରା ଚାଲାଣ ସୀମା ଟପିଥିବାବେଳେ ବ୍ରାଉନସୁଗାର ମୂଲ୍ୟ ୨ ଗୁଣା ବଢିଛି। ବିଭାଗୀୟ ଅଧିକାରୀଙ୍କୁ ହାତବାରିସି କରି ଯୋଜନାବଦ୍ଧ ଭାବେ ନିଶା କାରବାର ଚଳାଇଛନ୍ତି ନିଶା ବ୍ୟବସାୟୀ।

ନିଶା ସେବନ ଯୋଗୁଁ ଯୁବ ସମାଜ ନଷ୍ଟ ହେବାରେ ଲାଗୁଛି । ରାଜସ୍ବ ସଂଗ୍ରହ ଆଳରେ ରାଜ୍ୟ ସରକାର ନିଶା କାରବାରକୁ ପ୍ରୋତ୍ସାହନ କରିବାରେ ଲାଗିଛନ୍ତି। ଗତ ୨୦୨୧- ୨୨ ଆର୍ଥିକ ବର୍ଷରେ ଅବକାରୀ ସାମଗ୍ରୀରୁ ୭୬୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି। ଉପରୁ ତଳ ପର୍ଯ୍ୟନ୍ତ ଦୁର୍ନୀତି ରେ ବୁଡି ରହିଛି ଅବକାରୀ ବିଭାଗ। ଅବକାରୀ ବିଭାଗର ନିଶା ମାଫିଆଙ୍କୁ ଦଣ୍ଡ ଦେଵା ଲାଗି ମାନବ ସମ୍ବଳ ଅଭାବ। ମଦ ତିଆରି ବନ୍ଦ ହେଉନି କି ବିକ୍ରି ବନ୍ଦ ହେଉନି। ହେଲେ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡିକୁ ବନ୍ଦ କରିବାକୁ ଏସଏଚଜି ଗ୍ରୁପକୁ ଲଗାଯାଉଛି। ମଦ ଚୋରାଚାଲାଣ ବନ୍ଦ କରିବାକୁ ହେଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ହେବ।
ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୁରୁତର ଅଭିଯୋଗ ଆଣି କହିଛନ୍ତି ରାଜ୍ୟରେ ବ୍ୟାପକ ଗଂଜେଇ କରବାର ହେଉଛି। ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ମଦ ବ୍ୟବସାୟୀଙ୍କୁ ବିଜେଡି ନେତା ପ୍ରଶୟ ଦେଉଛନ୍ତି | ନିଶା କାରଣ ରୁ ଆଦିବାସୀ ଗାଁ ରେ ବିଧବା ଙ୍କ ସଂଖ୍ୟା ବଢିବାରେ ଲାଗିଛି | ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ କହିଛନ୍ତି ବେଆଇନ ମାଦକ ଦ୍ରବ୍ୟ ସେବନ ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି ଓ ଧନ ଜୀବନ ହାନିଙ୍କୁ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁନ ୨୬ ତାରିଖରେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଜନ ସଚେତନତା ସୃଷ୍ଟି କରାଯାଇଛି।ଚୋରା ମଦ ଓ ମାଦକ ଦ୍ରବ୍ୟକୁ ରୋକିବା ପାଇଁ ରାଜ୍ୟରେ ୪ଟି ଅବକାରୀ ଗୁଇନ୍ଦା ସଂସ୍ଥା କାର୍ଯ୍ୟ କରୁଛି। ଜିଲ୍ଲା ସ୍ତରରେ ମଲ୍ଟି ଡିସି ପ୍ଲେନାରୀ ସ୍କ୍ୱାର୍ଡ, ୩୩ଟି ଅବକାରୀ ଜିଲ୍ଲାରେ ଅବକାରୀ ଟିମ, ୧୯୨ଟି ଅବକାରୀ ଥାନା, ୩ଟି ଆଞ୍ଚଳିକ କାର୍ଯ୍ୟଳୟ ଓ ଗୋଟି ଏ ଅବକାରୀ ନିର୍ଦେଶାଳୟ କାମ କରୁଛି।

ପ୍ରଥମ ଥର ପାଇଁ ବେଆଇନ ଗଂଜେଇ ପ୍ରବଣ ଜିଲ୍ଲାମାନଙ୍କରେ ଡ୍ରୋନ ମାଧ୍ୟମରେ ସର୍ଭେ କରାଯାଇଥିଲା। ଗତ ବର୍ଷ ସର୍ବାଧିକ ୧୯ ହଜାର ୭୭୪.୬୩ ଏକର ସରକାରୀ ଓ ଜଙ୍ଗଲ ଜମିରେ ଥିବା ୩ କୋଟି ୨୯ ଲକ୍ଷ ୧୪ ହଜାର ୩୨ଟି ଗଜେଇ ଗଛ ନଷ୍ଟ କରାଯାଇଛି। ଏତତ ବ୍ୟତୀତ ଇ ଅବକାରୀ ୱେବ ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ ଦିନ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଉଛି । ୨୦୨୧-୨୨ରେ ବେଆଇନ ମଦ କାରବାରରେ ୩,୩୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ୧,୯୭,୬୩୬ କେଜି ଗଂଜେଇ, ୬୧,୬୩୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ୧୧ ଗୋଟି ମାମଲାରେ ଅଧିକାରୀଙ୍କ ଆଦେଶ ଅନୁଯାୟୀ ୨୧.୦୯ କୋଟି ଟଙ୍କାର ସମ୍ପତି ବ୍ୟାଜାପ୍ତି କରାଯାଇଛି ବୋଲି ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ଦେଇଛନ୍ତି।