ନୂଆଦିଲ୍ଲୀ : ବିକ୍ରୀ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ‘ଦି ଅଶୋକା ହୋଟେଲ’ । ଏନେଇ ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ହୋଇଯାଇଛି। କେନ୍ଦ୍ରର ମୋଦି ସରକାର ନ୍ୟାସନାଲ ମନିଟାଇଜ୍ ପାଇପଲାଇନ (ଏନଏମପି) ଯୋଜନାରେ ଦିଲ୍ଲୀର ଏହି ପ୍ରତିଷ୍ଠିତ ହୋଟେଲର ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ମସିହାରେ ଏନଏମପି ଯୋଜନା କରିଥିଲେ। ଏହି ଯୋଜନାରେ ଦି ଅଶୋକା ହୋଟେଲ ଓ ଏହା ନିକଟରେ ଥିବା ହୋଟେଲ ସମ୍ରାଟ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ସମ୍ପତ୍ତି, ଯାହାକୁ ଏହି ଯୋଜନାରେ ସୂଚୀବଦ୍ଧ କରାଯାଇଛି। ଏ ନେଇ ନିବେଶକଙ୍କ ସହ ବିଚାରବିମର୍ଷ ମଧ୍ୟ ସରିଛି। ଏବେ ହୋଟେଲର ବିକ୍ରି ଲାଗି କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ଉପରେ ବିଚାର କରାଯାଉଛି।

ରାଜଧାନୀ ଦିଲ୍ଲୀର ୨୫ ଏକର ଜମି ଉପରେ ଦି ଅଶୋକା ହୋଟେଲ ଛିଡା ହୋଇଛି। ଅଶୋକା ହୋଟେଲର ମୌଦ୍ରିକରଣ ଘରୋଇ-ସାର୍ବଜନିକ ଭାଗିଦାରୀ (ପିପିପି) ମୋଡରେ କରାଯିବ। ଏଥିଲାଗି ସାଂକେତିକ ମୂଲ୍ୟ ୭ହଜାର ୪୦୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୨୦୨୧ରେ ଏନଏମପିର ଘୋଷଣା କରିଥିଲେ। ଏଥିରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୩୩,୪୨୨କୋଟି ଟଙ୍କାର ଆସେଟ୍ (ପରିସମ୍ପତ୍ତି)ର ମୌଦ୍ରିକରଣ କରିସାରିଲେଣି।

ଚାଣକ୍ୟପୁରୀସ୍ଥିତ ଅଶୋକା ହୋଟେଲ ୭ ମହଲା ବିଶିଷ୍ଟ ଓ ଏଥିରେ ୫୫୦ଟି କୋଠରୀ ରହିଛି। ଭବ୍ୟ ଅଶୋକା ହୋଟେଲରେ ବିନା ପିଲରରେ ବିଶାଳ କନଭେନସନ ହଲ ରହିଛି। ଯାହା ଏହାର ଉତ୍କୃଷ୍ଟ ନିର୍ମାଣ କାରିଗରୀର ନିଦର୍ଶନ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୋଟେଲକୁ ଜମ୍ମୁ-କାଶ୍ମୀର ରାଜ କୁମାର କରଣ ସିଂହଙ୍କ ଦ୍ୱାରା ଦାନରେ ପ୍ରଦତ୍ତ ୨୫ ଏକରର ପାର୍କ ଲ୍ୟାଣ୍ଡ ଉପରେ ନିର୍ମାଣ କରାଇଥିଲେ। ତତ୍କାଳୀନ ପ୍ରଶିଦ୍ଧ ସ୍ଥପତି ଇ.ବି.ଡକ୍ଟରଙ୍କ ନେତୃତ୍ୱରେ ଅଶୋକା ହୋଟେଲର ନକ୍ସା ତିଆରି ହୋଇଥିଲା।