ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅକ୍ଟୋବର ୧୦ରେ ପ୍ରସ୍ତାବିତ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍ ମାଲିକ ସଂଘର ବୈଠକ ପରେ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଘରୋଇ ଯାତ୍ରୀବାହୀ ବସ୍ ମାଲିକ ସଂଘର ସଦ୍ୟତମ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତାକାଲି (୨୦୨୩ ଅକ୍ଟୋବର ୧୦)ରେ ବସ୍ ଧର୍ମଘଟ ହେବନାହିଁ। ଅର୍ଥାତ ଯାତ୍ରୀମାନେ ପୂର୍ବଭଳି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତାୟତ କରିପାରିବେ। କାରଣ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଛି। ଅସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।
ଏନେଇ ସୂଚନା ଦେଇ ଘରୋଇ ବସ ମାଲିକ ସଂଘର ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ‘ଲକ୍ଷ୍ମୀ’ ଯୋଜନାରେ ମୋଟ୍ ୧୬୦୦ଟି ବସ୍ ଚଳାଚଳ କରିବେ। ଏଥିରୁ ୧୦୦୦ ବସ୍ ପଞ୍ଚାୟତରୁ ବ୍ଲକକୁ ଯିବ। ଅନ୍ୟ ୬୦୦ଟି ବସ୍ ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗଡ଼ିବ। ଏହି ୬୦୦ ବସ୍ ମଧ୍ୟରେ ଘରୋଇ ବସ୍କୁ ଉକ୍ତ ଯୋଜନାରେ ସାମିଲ କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଥିଲା। ସରକାର ଏହାକୁ ବିଚାରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ସେ କହିଛନ୍ତି |
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟ ଡାକରା ଦେଇଥିଲା। ହେଲେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା। ବୈଠକ ପରେ ଘରୋଇ ବସ ସଂଘ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଆଉ ଏହାର କିଛି ସମୟ ପରେ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ।





