ଡିସେମ୍ବରରେ ଶେଷ ହେବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଡେଡଲାଇନ୍, ଏପଟେ ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ପାଇଁ ଦାବି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଡିସେମ୍ବରରେ ମାସରେ ଶେଷ ହେବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଡେଡଲାଇନ । ଏପଟେ ଏହାରି ଭିତରେ ଆଉ ୨୫ ନୂଆ ଜିଲ୍ଲା ପାଇଁ ଦାବି ହୋଇଛି ।ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତି ନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ବିଭିନ୍ନ ଭାଗରୁ ଏକାଧିକ ଦାବିପତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମିଳିଛି । ଚଳିତ ୨୦୨୩-୨୪ ବର୍ଷରେ ରାଜ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ପାଇଁ ବିଭିନ୍ନ ଦାବିପତ୍ର ସରକାରଙ୍କ ହସ୍ତଗତ ହୋଇଛି । ପଦ୍ମପୁର ସମେତ ମୋଟ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି । ସେଥିରେ ସର୍ବାଧିକ ୪ଟି ଗଞ୍ଜାମ ଜିଲ୍ଲାରୁ ଆସିଛି । ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରୁ ୩ଟି ଲେଖାଏଁ ଦାବି ଆସିଛି । ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବାଲେଶ୍ୱର ଓ କଟକରେ ୨ଟି ଲେଖାଏଁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି ।

ନୂଆ ଜିଲ୍ଲା ଗଠନ ଦାବିଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, କଟକ ଜିଲ୍ଲାରୁ ଆଠଗଡ଼ ଓ ଚଣ୍ଡିଖୋଲ, ବରଗଡ଼ ଜିଲ୍ଲାର ପଦ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ରାଉରକେଲା, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜି, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ, ଗଞ୍ଜାମ ଜିଲ୍ଲାର ଘୁମୁସର, ଋଷିକୁଲ୍ୟା ବା ଆସିକା, ବ୍ରହ୍ମପୁର ଓ ଭଞ୍ଜନଗର, ଅନୁଗୁଳ ଜିଲ୍ଲାର ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ସୋରୋ ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ବିଭାଗକୁ ମିଳିଛି ।

ଓଡ଼ିଶା ରାଜସ୍ବ ପ୍ରଶାସନ ଆକ୍ଟ ୧୯୬୩ ଓ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରୁ କେବଳ ଧର୍ମଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଛି । ସେହିପରି ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା ଦର୍ଶାଇଛନ୍ତି । ରାଉରକେଲାକୁ ନୂଆ ଜିଲ୍ଲା ଗଠନ ଦାବି ସପକ୍ଷ ଓ ବିରୋଧରେ ମିଳିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ପଦ୍ମପୁର ଉପନିର୍ବାଚନ ବେଳେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଯାହାର ଡେଡଲାଇନକୁ ଆଉ ମାତ୍ର ୩ ମାସ ବାକି ଅଛି । ଏହାରି ଭିତରେ ରାଜ୍ୟରେ ଆଉ ୨୫ଟି ସ୍ଥାନରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଜୋର ଧରିଛି ।

Related Posts