ଓଡିଶାରୁ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଶାରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ଏବେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ନେଇ ଡିଏମଇଟିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବା ବେଳେ ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଗତ ଏପ୍ରିଲ ୨୦ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ ରହିଥିଲେ । କିନ୍ତୁ ମେ’ ୮ତାରିଖରେ ତାଙ୍କର ଆଖି ଓ ନାକରୁ କଳା ପାଣି ବାହାରି ଥିଲା । ପରେ ତାଙ୍କର ଏଣ୍ଡସ୍କୋପି କରାଯାଇଥିଲା। ରୋଗୀଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ ତାଙ୍କ ଘରେ କିଛି ଦିନ ହେବ ବ୍ୟବହାର ହେଉନଥିବା ଏକ ପୁରୁଣା ଏୟାର କୁଲର ଥିଲା ଯାହାର ପାଣି ମଧ୍ୟ ବଦଳା ଯାଇନଥିଲା। ପରିବାର ଲୋକେ ସନ୍ଦେହ କରିଛନ୍ତି ଯେ, ଏଥିପାଇଁ ରୋଗୀଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଦେଇଛି। ତେବେ ଏହି ବ୍ଲାକ୍ ଫଙ୍ଗସ୍‌ର ନମୂନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି।

ବ୍ଲାକ୍ ଫଙ୍ଗସ୍ କଣ ?

ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍ ଏକ ଫଙ୍ଗସ୍ ଜାତୀୟ ଅଣୁ ଦ୍ବାରା ହୋଇଥାଏ। ବାୟୁମଣ୍ଡଳରେ ଏହା ଘୁରି ବୁଲୁଥାଏ । ଏବଂ କରୋନାକୁ ସୁସ୍ଥ ହୋଇଥିବା ଡାଇବେଟିସ୍, କର୍କଟ, ହୃଦ୍‌ରୋଗୀ ଓ କିଡନୀ ସମସ୍ୟା ଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସେମାନଙ୍କୁ ଆକ୍ରାମଣ କରିଥାଏ । ଏହି ଫଙ୍ଗସ୍ ନାକ ଓ ଚର୍ମ ଦେଇ ଶରୀର ଭିତରକୁ ପ୍ରବେଶ କରେ ଏବଂ ରକ୍ତ ନଳୀକୁ ଜମାଟ ବାନ୍ଧି ଦିଏ। ନାକରୁ କଳା ପାଣି ବାହାରିବା, ଆଖି ନାଲି ପଡ଼ି ଫୁଲିଯିବା , ମୁଣ୍ଡ ବିନ୍ଧା ହେବା , ପାଟି ଭିତରେ ଯନ୍ତ୍ରଣା ହେବା ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯିବା ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ଲକ୍ଷଣ। ବିଶେଷଜ୍ଞଙ୍କ ସୂଚନା ମୁତାବକ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସମୟରେ ଦୀର୍ଘ ଦିନ ଯାଏଁ ମାତ୍ରାଧିକ ଷ୍ଟିରଏଡ୍, ଆଣ୍ଟିବାଓଟିକ୍ ଆଦି ଦିଆଗଲେ ରୋଗୀ ସୁସ୍ଥ ହୋଇଯାଇଥାନ୍ତି। ଏହାଦ୍ୱାରା ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ । ବିଶେଷ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଏହି ସଂକ୍ରମଣ ହେବାର ଆଶଙ୍କା ଅଧିକ । ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ । ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଅତି ଜରୁରୀ।

Related Posts