ଆସନ୍ତା ୧୭ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ଆନ୍ତଃରାଜ୍ୟ ଜିଏସଟି ସବ-କମିଟି ବୈଠକ; ଭାଗ ନେବେ ୬ ରାଜ୍ୟର ଅର୍ଥମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୧୭ ତାରିଖରେ ଓଡ଼ିଶାରେ ଆନ୍ତଃରାଜ୍ୟ ଜିଏସଟି ସବ-କମିଟି ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୋଆ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟର ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଏବଂ ସିଟି-ଜିଏସଟି ଆୟୁକ୍ତ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ବୈଠକରେ ଜିଏସଟି ଟ୍ରାଇବୁନାଲ ଗଠନ ନେଇ ୬ଟି ରାଜ୍ୟର ମତାମତ ଗ୍ରହଣ କରାଯିବ। ତେବେ ଆଗାମୀ ଦିନରେ ଯେଉଁ ଜିଏସଟି ବିବାଦ ଉପୁଜିବ ତାର ସମାଧାନ ଏହି ଜିଏସଟି ଟ୍ରାଇବୁନାଲ କରିବ।

ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ୬ଟି ରାଜ୍ୟକୁ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ବୈଠକରେ ଆଉ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ରହିଛି। ସେଥିମଧ୍ୟରେ ତମାଖୁ ଏବଂ ନିଶାଦ୍ରବ୍ୟ ଉପରେ କେତେ ପରିମାଣର ଜିଏସଟି ଲାଗୁ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ। ରାଜ୍ୟରେ ମଦ ବେପାର ବଢ଼ୁଥିବା ପରିପ୍ରେକ୍ଷୀରେ ନିଶାଦ୍ରବ୍ୟ ଉପରେ ଜିଏସଟି ଅଧିକ ଲାଗୁ ପାଇଁ ଓଡ଼ିଶା ମତ ରଖିପାରେ ବୋଲି ସୂଚନା ମିଳିଛି । ସେହିପରି ବୈଠକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଚୁଡ଼ା, ମୁଢ଼ି ସହିତ କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ ନେଇ ବିସ୍ତୃତ ଆଲୋଚନା ହେବ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରିବା ନେଇ ପୂର୍ବରୁ ରାଜ୍ୟ ସରକାର ଜିଏସଟି ପରିଷଦରେ ବାରମ୍ବାର ଦାବି କରି ଆସୁଛନ୍ତି। ଏହି ବୈଠକରେ ମଧ୍ୟ ରାଜ୍ୟ ସରକାର ପୁନର୍ବାର ଉକ୍ତ ଦାବି ଦୋହରାଇବେ। ଏହାବାଦ୍ ଘରଭଡା ଉପରେ ଜିଏସଟି ଲାଗୁ ନେଇ ଏହି ବୈଠକ ରେ ଆଲୋଚନା ହୋଇପାରେ ବୋଲି ଜଣାଯାଇଛି।

Related Posts