ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୀତ ଅଧିବେଶନରେ ଉଠିଲା ଶିକ୍ଷକ ଧାରଣା ପ୍ରସଙ୍ଗ। ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଛି। ଆଜି ପ୍ରଶ୍ନକାଳରେ ଗାନ୍ଧୀ ମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରସଙ୍ଗ ଉଠିଥିଲା। ଗୃହର ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହୋହଲ୍ଲା, ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରବାଜି କରିଛନ୍ତି।ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ୧୧ଟା ୩୦ ଯାଏ ଗୃହ ମୁଲତବୀ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଜି ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଥିଲେ। ଯାହାକି ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।
