ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂର ଆଶଙ୍କା; କାହିଁକିନା ୧୬ ଆସନ ବେଳକୁ ଅଛନ୍ତି ୨୧ ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ୧୫ ରାଜ୍ୟରୁ ୫୭ଟି ଆସନ ଲାଗି ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ୪୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ତେବେ ଅବଶିଷ୍ଟ ୧୬ଟି ଆସନ ଲାଗି ୧୦ ତାରିଖରେ ମତଦାନ ହେବାକୁ ଯାଉଛି । ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିଆଣାରେ ଏହି ନିର୍ବାଚନ ହେବ। ବିଭିନ୍ନ ଦଳ ଏବଂ ବିଶେଷ କରି ବିଜେପି ଏବଂ କଂଗ୍ରେସ ନିଜ ଶକ୍ତି ଠାରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଦେଇଥିବାରୁ ମତଦାନ ଜୁରୁରୀ ହୋଇପଡ଼ିଛି। ଏଥିରେ ବିଜେପିର ବିଶେଷ କ୍ଷତି ହେବନାହିଁ, କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଘୋଡ଼ା ବେପାର ଏବଂ କ୍ରସଭୋଟିଂର ଆଶଙ୍କା ରହିଛି। ତେଣୁ ବିଭିନ୍ନ ଦଳ ସେମାନଙ୍କର ବିଧାୟକମାନଙ୍କୁ ହୋଟେଲମାନଙ୍କରେ ନେଇ ଲୁଚାଇ ରଖିଛନ୍ତି। ସେପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ଦୁଇ ଜଣ ଶିଳ୍ପପତି ମଇଦାନକୁ ଓହ୍ଲାଇବା ପରେ ଏହି ନିର୍ବାଚନ ରୋଚକ ସ୍ଥିତିରେ ପହଂଚିଛି। ଏହି ଦୁଇ ଶିଳ୍ପପତି ହେଉଛନ୍ତି ସୁଭାଷ ଚନ୍ଦ୍ରା ଏବଂ କାର୍ତ୍ତିକେୟ ଶର୍ମା।

ଅନ୍ୟପଟେ ମହାରାଷ୍ଟ୍ରରେ ୬ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ୨ଟି ଆସନ ଜିତିପାରିବ ଏବଂ ଶାସକ ମେଣ୍ଟ (ଶିବ ସେନା- କଂଗ୍ରେସ- ଏନସିପି) ୩ଟି ଆସନ ହାସଲ କରିପାରିବ। ଷଷ୍ଠ ଆସନ ପାଇଁ ଏମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ତଥାପି ଶାସକ ମେଣ୍ଟ ଓ ବିଜେପି ଗୋଟିଏ ଗୋଟିଏ ଅଧିକ ପ୍ରାର୍ଥୀ ଦେଇଛନ୍ତି। ସ୍ବାଧୀନ ଏବଂ ଛୋଟ ଛୋଟ ଦଳର ବିଧାୟକମାନ (୨୫)ଙ୍କ ସମର୍ଥନ ଉପରେ ଏମାନଙ୍କର ଆଖି ରହିଛି। ଏହାଛଡ଼ା ଶାସକ ମେଣ୍ଟର ବିଧାୟକ କ୍ରସ ଭୋଟିଂର ଭୟ ମଧ୍ୟ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ଶିବ ସେନା ଏବଂ କଂଗ୍ରେସ ସେମାନଙ୍କର ବିଧାୟକଙ୍କୁ ବିଭିନ୍ନ ସ୍ଥାନରେ ନେଇ ଲୁଚାଇ ରଖିଛନ୍ତି। ସ୍ବାଧୀନ ବିଧାୟକମାନଙ୍କୁ ମଧ୍ୟ ନିଜ ଆଡ଼କୁ ନେବାଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାର ତୃତୀୟ ପ୍ରାର୍ଥୀ ଜିତାଇବା ଲାଗି ଶାସକ ମେଣ୍ଟକୁ ଆଉ ୧୫ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ କଂଗ୍ରେସକୁ ଅଧିକ ୧୩ ବିଧାୟକଙ୍କ ସମର୍ଥନ ଦରକାର। ସେହିପରି ରାଜସ୍ଥାନରେ ୪ଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିରୁ ଶାସକ କଂଗ୍ରେସ ୨ଟିରେ ଏବଂ ବିଜେପି ଗୋଟିଏ ଆସନ ଜିତିପାରିବେ। କିନ୍ତୁ ସଂଖ୍ୟା ନଥାଇ ମଧ୍ୟ ଉଭୟ ଦଳ ଗୋଟିଏ ଗୋଟିଏ ଅଧିକ ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ ପ୍ରମୋଦ ତିୱାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଶିଳ୍ପପତି ସୁଭାଷ ଚନ୍ଦ୍ରା।

କଂଗ୍ରେସକୁ ଅଧିକ ୧୫ ବିଧାୟକ ଏବଂ ସୁଭାଷଙ୍କୁ ଅଧିକ ୧୧ ଜଣ ବିଧାୟକଙ୍କ ଭୋଟ ଦରକାର। ଛୋଟ ଛୋଟ ଦଳ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଉପରେ ସେମାନେ ଆଖି ପକାଇଛନ୍ତି। କଂଗ୍ରେସର କିଛି ଅସନ୍ତୁଷ୍ଟ ବିଧାୟକ କ୍ରସଭୋଟିଂ କରିବାର ଆଶଙ୍କା ଥିବାରୁ ଶାସକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି କର୍ଣ୍ଣାଟକରେ ୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଶାସକ ବିଜେପି ନିଜ ଦମ୍ରେ ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିପାରିବ। ତଥାପି ସେମାନେ ଜଣେ ଲେଖାଏଁ ଅଧିକ ପ୍ରାର୍ଥୀ ଦେଇଛନ୍ତି। ତେବେ ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ ସଂଖ୍ୟା ନଥାଇ ମଧ୍ୟ ଜେଡିଏସ୍ ପ୍ରାର୍ଥୀ ଦେଇଛି। ଜଣେ ପ୍ରାର୍ଥୀକୁ ଜିତିବାକୁ ହେଲେ ରାଜ୍ୟରେ ୪୫ ବିଧାୟକଙ୍କ ଭୋଟ୍ ଦରକାର ପଡ଼ୁଥିବା ବେଳେ ଜେଡିଏସ୍ ପାଖରେ ରହିଛନ୍ତି ୩୨ ବିଧାୟକ।

Related Posts