ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଫେବୃଆରି ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ ।ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ୨୦ ତାରିଖରେ ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।

ଏନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, “ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବୃଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୨୦ ତାରିଖରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯିବ । ସୋମବାର ଦିନ ସାଢ଼େ ୧୧ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବ ଏହି ବୈଠକ । ସବୁ ଦଳର ନେତାମାନଙ୍କ ସହିତ ଆଲୋଚନା କରାଯିବ । ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିପାରିବ ଓ ଜନସାଧାରଣଙ୍କ ସମସ୍ୟା ବିସ୍ତୃତ ଭାବେ ଆଲୋଚନା ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ।”

ତେବେ ଚଳିତ ବର୍ଷ ୨ ଲକ୍ଷ ୩୦ହଜାର କୋଟିର ବଜେଟକୁ ଗତକାଲି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିସାରିଛି । ସେହିପରି ବର୍ତ୍ତମାନ ରାଜ୍ୟର ହାଇସ୍କୁଲ ଗୁଡ଼ିକରେ ୪୦୧୬୬ ଶିକ୍ଷକ ଅଛନ୍ତି । ପ୍ରଥମ ଥର ୧୫ ପ୍ରତିଶତ ଏଲଟିଆର ଖାଲିଥିବା ପଦବି ଉପରେ ଚର୍ଚ୍ଚା ହୋଇଛି । ୬୦୨୫ ଜଣ ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ସେହିପରି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, “ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । କେଉଁ ଦଳର ଭୂମିକା କଣ ରହିବ, ସେନେଇ ଆଲୋଚନା କରାଯିବ । ବିଜେଡି ବିଧାୟକ ଦଳର ବୈଠକ ବସିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଗତ ଅଧିବେଶନ ପରି ବିଧାନସଭାର ପ୍ରଥମ ଦିନରେ ବସିପାରେ ବିଜେଡି ବିଧାୟକ ଦଳ ବୈଠକ । କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ୨୦ ତାରିଖ ଅପରାହ୍ନରେ ବସିବ ବୋଲି ସୂଚନା ମିଳିଛି ।”