କଲମ୍ବୋ: ଘୋର ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା | ତେବେ ଶ୍ରୀଲଙ୍କାର ଏହି ସଙ୍କଟ ପରିସ୍ଥିତି ମଧ୍ୟରେ ଶ୍ରୀଲଂକାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଭାରତ ଓ ଜାପାନ | ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂ‌ଘେ ଦୁଃସମୟରେ ସାହାଯ୍ୟ କରିଥିବାରୁ ଭାରତ ଓ ଜାପାନକୁ କୃତଜ୍ଞତା ଜଣାଇଛନ୍ତି | ଏଥିସହ ଆର୍ଥିକ ସଙ୍କଟଜନିତ ପ୍ରଭାବ ଏଡ଼ାଇବା ଲାଗି ଛୋଟଧରଣର ହେଲେ ବି ସଠିକ ନୀତି ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ ଚଳାଇଛି।

୬ଷ୍ଠ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିବା ଅଭିଜ୍ଞ ନେତା ବିକ୍ରମସିଂଘେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଦୁଃସମୟରେ ଭାରତ ସହାୟତା କରିଥିବାରୁ ତାଙ୍କ ଦେଶ ଭାରତ ନିକଟରେ କୃତଜ୍ଞ।

କେତେଗୁଡ଼ିଏ ଟୁଇଟ୍‌ କରି ବିକ୍ରମସିଂଘେ ଲେଖିଛନ୍ତି, ଶ୍ରୀଲଙ୍କାରେ ଏଭଳି ଆର୍ଥିକ ସଙ୍କଟ କେଭେ ଦେଖା ଦେଇ ନ ଥିଲା। ସମସ୍ୟାର ସମାଧାନ ନିମନ୍ତେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ସହ ତୁରନ୍ତ ଆଲୋଚନା କରି ଜୁନ୍‌ ମାସ ମଝି ଆଡ଼କୁ କିଛି ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ ଲେଖିଛନ୍ତି: ଭାରତ ଓ ଜାପାନରୁ ସହାୟତା: ଶ୍ରୀଲଙ୍କାକୁ ସହାୟତା କରିବା ଲାଗି ‘ବିଦେଶୀ ସହାୟତା ସଂଘ’ ଗଠନ କରିବା ପାଇଁ ‘କ୍ବାଡ୍‌’ ସଦସ୍ୟ ରାଷ୍ଟ୍ରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଭାରତ ଓ ଜାପାନ ସକାରତ୍ମକ ମନୋଭାବ ପୋଷଣ କରିଥିବାରୁ ମୁଁ କୃତଜ୍ଞ।

ଉଲ୍ଲେଖଯୋଗ୍ୟ, ‘କ୍ବାଡ୍‌’ ଶିଖର ସମ୍ମିଳନୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ପାରସ୍ପରିକ ବୈଠକରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ |