(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଶିଶୁ କରୋନା ସଂକ୍ରମିତ ୧୦୦ ପାର କରିଛି। ଏହା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ଛୋଟ ପିଲାମାନଙ୍କ ପାଇଁ ଟିକା ଆସିନଥିବାରୁ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ସରକାର ପରାମର୍ଶ ଦେଇଥିବାବେଳେ ୧୨ଟି ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେରୋ ସର୍ଭେ କରିବା ପାଇଁ ସୋମବାର ଆରଏମଆରସିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜଧାନୀ ଭୁବନେଶ୍ୱର ସ୍ଥିତ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ଚିଠି ଲେଖି ୧୨ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ଏସଏଆରଏସ-ସିଓଭି-୨ ଆଣ୍ଟିବଡ଼ି ପ୍ରତିରୋଧକ କେତେ ପରିମାଣର ସୃଷ୍ଟି ହୋଇଛି ଏବଂ ବୟସ ଅନୁପାତରେ ଏହା କିଭଳି ରହିଛି ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସେରୋ ସର୍ଭେ କରିବା ପାଇଁ ସରକାର ୫୭.୭୦ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ତେବେ କେଉଁ ଦିନ ଠାରୁ ଏହି ସେରୋ ସର୍ଭେ ଆରମ୍ଭ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ଅପରପକ୍ଷରେ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡ୍ ନିୟମ ମାନି ଚଳିଲେ ହିଁ ଶିଶୁମାନଙ୍କୁ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ। କୁ ପ୍ରଥମେ ନିଜର ପିଲାମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବାକୁ ପଡ଼ିବ। ତେଣୁ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କର ଟିକାକରଣ କରି ପିଲାମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଟିକାକରଣ ହେଲେ ସେମାନେ ଆଉ ସଂକ୍ରମିତ କରିବେ ନାହିଁ ଓ ପିଲାମାନେ ସୁରକ୍ଷିତ ରହିପାରିବେ। ସେହିପରି ଅଭିଭାବକମାନେ ମଧ୍ୟ ଘରେ ନିଜ ପିଲାମାନଙ୍କର ଯତ୍ନ ଯେଭଳି ନେବେ ସେଥିପାଇଁ ସଚେତନ କରାଇବାର ଆବଶ୍ୟକତା ରହିଛି ।