ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ରଣନୀତି ବଦଳାଇଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। କିନ୍ତୁ, ଆଗଭଳି ବୁଧବାର ସରକାରୀ ଦପ୍ତର ଓ ଅଦାଲତ ଅଚଳ ରହିଛି। ଓକିଲ ସଂଘ ପକ୍ଷରୁ ଦୌରା ଜଜ୍‌ଙ୍କ କୋଠା ସମ୍ମୁଖ ରାସ୍ତା‌ରେ ବୁଧବାରଠାରୁ ପାଞ୍ଚଦିନିଆ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇଛି। ଏହି ଧାରଣା କିନ୍ତୁ ହାଇକୋର୍ଟ ବେଞ୍ଚ ପାଇଁ ନୁହେଁ, ବରଂ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାଇଁ ଆଜି ଏଠାରେ ଦାବି କରାଯାଇଛି। ସ୍ବତନ୍ତ୍ର ରାଜ୍ୟ ଗଠନ ହେଲେ ହାଇକୋର୍ଟ ବେଞ୍ଚ ବଦଳରେ ପୁରା ଏକ ହାଇକୋର୍ଟ ମିଳିବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁ‌ରେଶ୍ବର ମିଶ୍ର କହିଥିବା ବେଳେ ଏଥିରେ ସାମିଲ ହୋଇଥିବା ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଏଭଳି ମତ ଦିଆଯାଇଛି।

ବୁଧବାର ଦିନ ଓକିଲମାନେ ମୁଣ୍ଡରେ କଳାପଟି ବାନ୍ଧିଥିବା ବେଳେ ସାର୍ଟରେ କଳାବ୍ୟାଜ୍ ପରିଧାନ କରି ଧାରଣାରେ ସାମିଲ ହୋଇଥିଲେ। ସରକାରୀ ଦପ୍ତରଗୁଡ଼ିକ ସମ୍ମୁଖରେ ପିକେଟିଂ କରିବା ଯୋଗୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିଜ କାର୍ଯ୍ୟାଳୟକୁ ଯାଇନଥିଲେ। ହେଲେ ବିଚାରପତିମାନଙ୍କୁ କୋର୍ଟକୁ ବାଧା ଦିଆଯାଇନଥିଲା। ବିଚାରପତି ଓ କର୍ମଚାରୀମାନେ କୋର୍ଟକୁ ଯାଇଥିଲେ ମଧ୍ୟ ଓକିଲମାନଙ୍କ ଅସହ‌ଯୋଗ ଯୋଗୁ ଅଦାଲତ କାର୍ଯ୍ୟ ଅଚଳ ହୋଇଯାଇଛି। ବୁଧବାର ଆରମ୍ଭ ହୋଇଥିବା ଏହି ଧାରଣା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଅପରପକ୍ଷରେ ୧୨ ତାରିଖ ଦିନ ସତ୍ୟାଗ୍ରହ ପରି‌ପ୍ରେକ୍ଷୀରେ ପୂର୍ବଭଳି ପିକେଟିଂ କରାଯିବ ବୋଲି କହାଯାଇଛି।

ଏପଟେ ବୁଧବାର ଦିନ କଚେରି ପରିସର ରାଜଧାନୀ ଭୁବନେଶ୍ବରର ଲୋୟର ପିଏମ୍‌ଜି ଅଂଚଳର ଭ୍ରମ ସୃଷ୍ଟି କରିଥିଲା। ସମଗ୍ର କଚେରି ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଥିଲା। ନେଲ୍‌ସନ୍ ମଣ୍ଡେଲା ଛକ ନିକଟରେ କଚେରି ରାସ୍ତାକୁ ବେରିକେଡ୍ କରାଯାଇଥିବା ବେଳେ ପୁଲିସ କର୍ମଚାରୀମାନେ ‌ଜଗି ରହିଥିଲେ। କାହାରିକୁ ‌ସେପଟକୁ ଛଡ଼ାଯାଉନଥିଲା। ବିନାଖଣ୍ଡି ଅଂଚଳରୁ ଆସୁଥିବା ସାଧାରଣ ଲୋକଙ୍କୁ ବି ଅନ୍ୟ ବାଇପାସ୍ ରାସ୍ତା ଦେଇ ଯିବାକୁ କହାଯାଉଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଏହି ଆନ୍ଦୋଳନରେ ଯୋଗଦେଇ ସମ୍ବଲପୁର ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ ଯୋଗଦେଇ ହାଇକୋର୍ଟ ବେଞ୍ଚ ସ୍ଥାପନରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିର ସମାଲୋଚନା କରିଥିଲେ। ସେହିପରି ‌ରୋଟାରି କ୍ଲବ,ସମ୍ବଲପୁରର ସଭାପତି ରଂଜିତ ସିଂହୁରା, ପିପୁଲସ୍‌ ଫୋରମ୍‌ର ସପନ ମିଶ୍ର, ଗୋଳକବିହାରୀ ମିଶ୍ର, ଶ୍ରମିକ ନେତା ଗୋକୁଳ ମେହେର, ଜୀବନ ବୀମା ଅଭିକର୍ତ୍ତା ସଂଘର ଦାମୋଦର କର, ବିଜେପି ନେତା ଦେବେନ୍ଦ୍ର ମହାପାତ୍ରଙ୍କ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର ବହୁ ନେତା ଓ କର୍ମୀ ‌ଯୋଗଦେଇ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।