କେନ୍ଦ୍ର ସରକାରଙ୍କୁ କୋଭିଡ୍ ଟିକା କ୍ରୟ ସମ୍ପର୍କିତ ଟିକିନିଖି ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟିକା ପଲିସିକୁ କେନ୍ଦ୍ର ସରକାରଙ୍କ କଡା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟ୍ନିକ୍ ଭି ସମେତ ସମସ୍ତ କୋଭିଡ୍ ଟିକାର କ୍ରୟ ବିବରଣୀ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି। ଏଯାଏ କେତେ ଟିକା ଅର୍ଡର ହୋଇଛି? କେବେ ଅର୍ଡର ଦିଆଯାଇଛି? କେତେ ଡୋଜ୍ ଆସିଛି ଓ ଆଉ କେତେ ଡୋଜ୍‌ କେବେ ଆସିବ, ତା’ର ଟିକିନିଖି ତଥ୍ୟ ସର୍ବୋଚ୍ଚ ଅଦାଲତ ମାଗିଛନ୍ତି। ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ , ଏଲ୍.ଏନ୍ ରାଓ ଏବଂ ଏସ୍ ରବିନ୍ଦ୍ର ଭଟ୍ଟଙ୍କ ଏକ ସ୍ବତନ୍ତ୍ର ବେଞ୍ଚ କହିଛନ୍ତି ଯେ “ଆଫିଡେଭିଟ୍ ଦାଖଲ କରିବାବେଳେ UoI (ୟୁନିଅନ୍ ଅଫ୍ ଇଣ୍ଡିଆ) ମଧ୍ୟ ଟୀକାକରଣ ନୀତି ସହ ଜଡିତ ସମସ୍ତ ଫାଇଲ୍ ଏବଂ ଦସ୍ତାବିଜ ଦାଖଲ କରିବା ବାଧ୍ୟତାମୂଳକ । ଆଫିଡେଭିଟ୍ ଦାଖଲ କରିବାକୁ UoI କୁ ସୁପ୍ରିମକୋର୍ଟ ଦୁଇ ସପ୍ତାହ ସମୟ ଦେଇଛନ୍ତି। ମେ ୩୧ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କେତେ ଟିକା ଅର୍ଡର ହୋଇଛି? କେବେ ଅର୍ଡର ଦିଆଯାଇଛି? କେତେ ଡୋଜ୍ ଆସିଛି ଓ ଆଉ କେତେ ଡୋଜ୍‌ କେବେ ଆସିବ ? ବର୍ତ୍ତମାନ ସୁଦ୍ଧା କେତେ ଲୋକଙ୍କୁ ଟିକା ଦିଆଯାଇଛି ? ବାକି ଲୋକଙ୍କୁ କେବେ ଟିକା ଦିଆଯିବ ? ଏଥିପାଇଁ କେନ୍ଦ୍ର ସରକାର କେଉଁ ପଦକ୍ଷେପ ନେଇଛନ୍ତି ? ଏସବୁର ତଥ୍ୟ ଦେବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଟୀକାକରଣ ଡ୍ରାଇଭ୍ ର ପ୍ରଥମ ତିନୋଟି ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତିଙ୍କ ତୁଳନାରେ ଟୀକାକରଣ କରାଯାଇଥିବା ଜନସଂଖ୍ୟାର ଶତକଡ଼ା (ଗୋଟିଏ ଡୋଜ ଏବଂ ଉଭୟ ଡୋଜ ସହିତ) ତଥ୍ୟ ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, “ ଏଥିରେ ଗ୍ରାମାଞ୍ଚଳର ଜନସଂଖ୍ୟାର କେତେ ପ୍ରତିଶତ ଏବଂ ସହରାଞ୍ଚାଳ ଜନସଂଖ୍ୟାର କେତେ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି ସେ ନେଇ ମଧ୍ୟ ସବିଶେଷ ତଥ୍ୟ ଦେବେ। ” ଏହା ସଙ୍ଗେ ସଙ୍ଗେ ମ୍ୟୁକୋମାଇକ୍ରୋସିସ୍ ବା ବ୍ଲାକଫଙ୍ଗସ ମେଡିସିନ ଉପଲବ୍ଧ ସମ୍ପର୍କିତ ତଥ୍ୟ ମଧ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ। ମେ ୩୧ ରେ, କୋଭିଡ୍ ପରିଚାଳନା ପ୍ରସଙ୍ଗରେ ଏକ ସୋ ମୋଟୋ ମାମଲାର ଶୁଣାଣି କରୁଥିବାବେଳେ ଦେଶରେ ଡିଜିଟାଲ ବିଭାଜନକୁ ନେଇ ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଛନ୍ତି। ଟୀକାକରଣ ପାଇଁ କୋୱିନ୍ ପୋର୍ଟାଲରେ ବାଧ୍ୟତାମୂଳକ ପଞ୍ଜୀକରଣର ବାସ୍ତବତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। କୋର୍ଟ କେନ୍ଦ୍ରକୁ ତାଚ୍ଛଲ୍ୟ କରି କହିଛନ୍ତି ଯେ ସରକାରଙ୍କୁ “ ଜାଗ୍ରତ ହୋଇ କଫିର ଗନ୍ଧ ବାରିବାକୁ ପଡିବ ” ଏବଂ ଟିକା ନୀତିରେ ସୁଧାର ଆଣିବାକୁ ପଡିବ। ତେବେ କେନ୍ଦ୍ର ସରକାର ଏହାର ଉତ୍ତରରେ କହିଛନ୍ତି ଯେ ୨୦୨୧ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବା ନେଇ ଆଶା କରାଯାଉଛି।

Related Posts