କୁମ୍ଭ’ ରୁ କିଛି ଶିଖିଲେନି ତୀରଥ ସିଂ ସରକାର : ଚାରଧାମ ଯାତ୍ରା ଆୟୋଜନ ପାଇଁ କରୁଥିଲେ ପ୍ରସ୍ତୁତି, ରୋକ୍ ଲଗାଇଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନାର ଦ୍ବିତୀୟ ଲହର ପ୍ରବେଶ ସତ୍ତ୍ୱେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କୁମ୍ଭ ମେଳା ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ଏହି ମେଳାକୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ଆସିଲେ। କୋଭିଡ୍ ଗାଇଡଲାଇନର ଖୋଲା ଖୋଲି ଉଲଙ୍ଘନ ହେଲା। ଏମିତିକି କୋଭିଡ୍ ଟେଷ୍ଟ ମଧ୍ୟ ନକଲି ହୋଇଥିବା ଜଣାପଡିଲା। ଯାହାର ଫଳାଫଳ ଉତ୍ତରାଖଣ୍ଡ ସମେତ ସାରା ଦେଶ ଭୋଗିଲା। ସାରା ଦେଶରେ କୋଭିଡ୍ ମାମଲା ବଢିବାରେ ଲାଗିଲା। ଲୋକେ ଅମ୍ଳଜାନ ଓ ବେଡ୍ ଅଭାବରୁ ଛଟପଟ ହୋଇ ଜୀବନ ହାରିଲେ। ଶେଷରେ ସରକାର ବି ହାତ ଟେକି ଦେଲେ। ବିଶେଷଜ୍ଞଙ୍କ ବାରଣ ସତ୍ତ୍ୱେ ଏବେ ପୁଣି ଥରେ ଉତ୍ତରାଖଣ୍ଡ ସରକାର ଚାରଧାମ ଯାତ୍ରା ଆୟୋଜନ ପାଇଁ ଉତ୍ସାହିତ ଥିବା ଜଣାପଡିଛି । ଦ୍ବିତୀୟ ଲହର ଯାଇନି ଏପଟେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ଚେତାବନୀ ଦେଲେଣି, ଏସବୁକୁ ଖାତିର ନ କରି ସରକାର ଏହି ଯାତ୍ରାରେ ଜନସମାଗମ କରିବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ଭର୍ତ୍ସନା କରିଛନ୍ତି । କୋଭିଡ୍ ଭୟାବହତାକୁ ନଜରରେ ରଖି ଚରଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ତିରଥ ସିଂ ରାୱତ ଲୋକମାନଙ୍କ ପାଇଁ ଚରଧାମ ଯାତ୍ରା ଖୋଲିବାକୁ ନିଷ୍ପତ୍ତି ନେଇଥିଲା। ଜୁଲାଇ 1 ରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଥିଲା । କିନ୍ତୁ କୁମ୍ଭ ମେଳା ପରି ହାଇକୋର୍ଟ ପୁଣି ଥରେ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ଯାତ୍ରା ଉପରେ ନିଷେଧାଦେଶ ଜାରି କରିଛନ୍ତି। ତେବେ ଚାରଧାମର ଲାଇଭ୍ ଷ୍ଟ୍ରିମିଂ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଜୁନ୍ 23 ରେ ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ଏହାର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିଥିଲେ। ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ କଡା ଭର୍ତ୍ସନା କରିବା ସହିତ ଚାରଧାମ ଯାତ୍ରା ଭଳି ବଡ଼ ବଡ଼ ସମାବେଶକୁ ଅନୁମତି ଦେବା ଦ୍ଵାରା କରୋନାକୁ ପୁଣି ଥରେ ନିମନ୍ତ୍ରଣ କରିବା ସହ ସମାନ ବୋଲି କହିଥିଲେ । ତେଣୁ ଏଭଳି ବଡ ବଡ ଧାର୍ମିକ ଓ ସମାଜିକ ଆୟୋଜନ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୁମ୍ଭ ଯୋଗୁଁ କରୋନା ମୃତ୍ୟୁ ତଥ୍ୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କୁମ୍ଭ ମେଳାର ସାଙ୍ଘାତିକ ପରିଣାମ ପରେ ପୁଣିଥରେ ଉତ୍ତରାଖଣ୍ଡ ସରକାର ଚରଧାମ ଯାତ୍ରା ଆୟୋଜନ କରି ରାଜ୍ୟବାସୀଙ୍କୁ ବିପଦରେ ପକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଏହାପୂର୍ବରୁ ମଧ୍ୟ ତିରଥ ସିଂ ରାୱତଙ୍କ ଜିଦ୍ ଯୋଗୁଁ ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ଏ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଅନେକ ଥର ତାଗିଦ କରିଛନ୍ତି। ଯେତେବେଳେ ତିରଥ ସିଂ ରାୱତଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ପ୍ରଦାନ କରାଯାଇଥିଲା, ସେତେବେଳେ ସେ ପ୍ରଥମେ ଘୋଷଣା କରିଥିଲେ ଯେ ଲୋକମାନେ ବିନା କୌଣସି ପ୍ରତିବନ୍ଧକରେ କୁମ୍ଭ ମେଳାରେ ଯୋଗ ଦେଇ ପାରିବେ, କରୋନାର ଦ୍ୱିତୀୟ ଲହର ପ୍ରବେଶ କରି ଥିବା ସତ୍ତ୍ବେ ରାୱତ କହିଥିଲେ ଯେ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିପାରିବେ। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ନୈନିତାଲ ହାଇକୋର୍ଟ କରୋନା ନେଗେଟିଭ ରିପୋର୍ଟ ବିନା କୁମ୍ଭ ମେଳାକୁ ଆସିବାକୁ ବାରଣ କରିଥିଲେ ଏବଂ କରୋନା ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ସରକାରଙ୍କ ନିଷ୍ପତ୍ତି କୁ ହାଇକୋର୍ଟ କଡା ସମାଲୋଚନା କରିଥିଲେ। କୁମ୍ଭ ମେଳାରେ ହୋଇଥିବା ଅବ୍ଯବସ୍ଥା ସତ୍ବେ ରାୱତ ସରକାର ପୁଣି ଥରେ ଯୁକ୍ତି କରିଛନ୍ତି ଯେ ଲୋକମାନେ କରୋନା ନେଗେଟିଭ୍ ରିପୋର୍ଟ ବିନା ଚାରଧାମ ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ସରକାରଙ୍କ ନିୟମ ଏବଂ ବାସ୍ତବତା ମଧ୍ୟରେ ଆକାଶ ପାତାଳ ଫରକ ଅଟେ । ଉତ୍ତରାଖଣ୍ଡରେ କରୋନା ନେଗେଟିଭ୍ ରିପୋର୍ଟ କେବଳ ଏକ ଔପଚାରିକତା ପାଲଟିଛି। ତେବେ କୁମ୍ଭ ମେଳାରେ ନକଲି ଟେଷ୍ଟ ରିପୋର୍ଟ ଅଭିଯୋଗ ଆସିବା ପରେ ଏହି କରୋନା ରିପୋର୍ଟଗୁଡିକ ପୁନର୍ବାର କ୍ରସ୍ ଯାଞ୍ଚ କରାଯାଇ ନାହିଁ। ସରକାର ଯଦି ପୁଣି ଥରେ ଏହି ମେଳାର ଆୟୋଜନ କରନ୍ତି ତେବେ ଏହା ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଉତ୍ତରାଖଣ୍ଡରେ ପ୍ରାୟ ୮ ମାସ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତିରଥ ସିଂ ରାୱତଙ୍କ ସାମ୍ନାରେ ଅନେକ ରାଜନୈତିକ ବାଧ୍ୟତାମୂଳକ କାମ ରହିଛି। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି, ଗତ ୪ ବର୍ଷ ମଧ୍ୟରେ ବିଜେପି ସରକାର ଲୋକଙ୍କ ପାଖରେ ପହଂଚିବାରେ ବିଫଳ ହୋଇଛି , ତେଣୁ ସରକାରଙ୍କ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି, ତେଣୁ କୁମ୍ଭ ଏବଂ ଚରଧାମ ଯାତ୍ରା ପରି ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କାରଣ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ରହିଛି , ଏଭଳି ପରିସ୍ଥିତିରେ ସରକାରଙ୍କ ପାଇଁ ଅଧିକ କିଛି କରିବାର ସମୟ ନାହିଁ। ଯଦିଓ, କୁମ୍ଭକୁ ଏକ ଉଦାହରଣ ଭାବରେ ଦେଖାଯାଏ, ତେବେ ଏହି ନିଷ୍ପତ୍ତି ହେତୁ ସରକାର କମ୍ କ୍ଷତି ସହିଛନ୍ତି। ତିରଥ ସିଂ ରାୱତ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସାଂଘାତିକ ଏବଂ ଏହାଦ୍ୱାରା ବିଜେପି ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ବର୍ତ୍ତମାନ ଜୁଲାଇ ୭ ପର୍ଯ୍ୟନ୍ତ ଚରଧାମ ଯାତ୍ରାକୁ ବନ୍ଦ କରାଯାଇଛି। ତେବେ ଏହା ପରେ ଉତ୍ତରାଖଣ୍ଡ ସରକାର ଏ ବିଷୟରେ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ପଡ଼ିବ।

Related Posts