ରାଜ୍ୟରେ ଏବର୍ଷ ବି ହେବନି କଲେଜ ଇଲେକ୍ସନ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏବର୍ଷ ବି ହେବନି କଲେଜ ଇଲେକ୍ସନ! କ୍ରମାଗତ ଷଷ୍ଠ ଥର ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ମୋଟ କାର୍ଯ୍ୟ ଦିବସ, ପରୀକ୍ଷା ସମ୍ପର୍କିତ ତାରିଖ, ପୂଜା ଛୁଟି ନେଇ ସବିଶେଷ ତଥ୍ୟ ଦିଆଯାଇଛି। ମାତ୍ର ଏଥିରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।

ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ ଏଥିରୁ ସ୍ପଷ୍ଟ ଯେ, ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ଦାବି କରି ଆସୁଥିବା ବେଳେ ଏବର୍ଷ ମଧ୍ୟ ରାଜ୍ୟ ସରକାର ଏହାକୁ ବନ୍ଦ ରଖିଛନ୍ତି । ତେବେ ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା | ଏହାପରେ ୨୦୧୮ ମସିହାରୁ କଲେଜ କ୍ୟାମ୍ପସରେ ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।

ନିର୍ବାଚନ ହେଲେ ପାଠପଢ଼ା ବନ୍ଦ ରହୁଥିବା ବେଳେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବା ଦର୍ଶାଇ ରାଜ୍ୟ ସରକାର ନିର୍ବାଚନ ବନ୍ଦ କରିଥିବା ବେଳେ ABVP ଓ ଛାତ୍ର କଂଗ୍ରେସ କଲେଜ ଇଲେକ୍ସନ କରିବା ନେଇ ଦାବି କରିଛନ୍ତି ।

Related Posts