
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ):- ଆରମ୍ଭ ହୋଇଯାଇଛି ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ମତଦାନ । ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୪.୭ ନିୟୁତରୁ ଅଧିକ ଦିଲ୍ଲୀ ଭୋଟର । ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ତ୍ରୀମୁଖୀ ପ୍ରତିଦ୍ବନ୍ଦିତା ହେଉ ଥିଲେବି ମୁଖ୍ୟତଃ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଛି । ନିର୍ବାଚନୀ ରଣାଙ୍ଗନରେ ୭୯ ଜଣ ମହିଳା ପ୍ରାର୍ଥୀ ଚଳିତ ଥର ଅବତୀର୍ଣ୍ଣ ହୋଇଛନ୍ତି । ଭୋଟରଙ୍କ ମଧ୍ୟରେ ଆଗ୍ରହ ସୃଷ୍ଠି କରିବା ପାଇଁ ଦିଲ୍ଲୀ ସରକାର ଆଜି ଦିନଟିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ୭୫ ହଜାର ସୁରକ୍ଷା କର୍ମୀଙ୍କୁ ମୃତୟନ କରାଯାଇଛି । ୨୬୮୯ଟି ବୁଥ ମଧ୍ୟରୁ ୫୪୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆ ଯାଇଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ମତଦାନ କେନ୍ଦ୍ରକୁ ଆସିବା ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି।
ତେବେ ଆସନ୍ତା ୧୧ ତାରିଖରେ ଘୋଷଣା ହେବାକୁ ଥିବା ଫଳାଫଳ ପୂର୍ବରୁ ଦିଲ୍ଲୀ ରାଜନୀତି କିନ୍ତୁ ପୁରାପୁରି ଉଷ୍ମ ହୋଇପଡିଛି । ଦେଶର ରାଜନୈତିକ ପ୍ରଣକେନ୍ଦ୍ର ତଥା ସମସ୍ତ ଯୋଜନା ପ୍ରଣୟନର ନାଭିକେନ୍ଦ୍ର ଭାବେ ପରିଚିତ ଦିଲ୍ଲୀ ସିଂହାସନ ଉପରେ ରହିଛି ସମସ୍ତଙ୍କର ନଜର । ସାରା ବିଶ୍ବ ଚାହିଁ ବସିଛି ଦିଲ୍ଲୀ ନିର୍ବାଚନ ଫଳାଫଳକୁ । ସୂଚନାଯୋଗ୍ୟ ଠିକ୍ ପାଞ୍ଚ ବର୍ଷ ତଳେ ଦିଲ୍ଲୀର ଭୋଟର ଆମ ଆଦମୀ ପାର୍ଟି ନାମକ ଏକ ନୂଆ ରାଜନୈତିକ ଦଳକୁ ବହୁମତ ଦେଇ କ୍ଷମତାକୁ ଆଣିଥିଲେ । ତଥାକଥିତ ରାଜନୀତିର ଉର୍ଦ୍ଧକୁ ଯାଇ ଦିଲ୍ଲୀବାସୀ ଆମ୍ ଆଦମୀର ସ୍ବାର୍ଥ ପ୍ରତି ପ୍ରତିବଦ୍ଧ ଏକ ଦଳ ଭାବରେ ଆପ କୁ କ୍ଷମତାରେ ବସେଇଥିଲେ । ସାରା ବିଶ୍ବ ଚକିତ ହୋଇଯାଇଥିଲା ସେତବେଳେ ଦିଲ୍ଲୀବାସୀଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ।
ଦିଲ୍ଲୀରେ ଏକଦା କଂଗ୍ରେସ ଦୀର୍ଘ ବର୍ଷ ଶାସନ କରିଥିବା ବେଳେ ବିଜେପି ମଧ୍ୟ ଗୋଟିଏ ସମୟରେ ଏହି କ୍ଷମତାର ଭାଗିଦାରୀ ଥିଲା । ହେଲେ ସାଧାରଣରେ ଉଭୟ ଦଳ ପ୍ରତି ଥିବା ଅସନ୍ତୋଷ ଆଉ ଅନୁଭବ ଆମ ଆଦମୀ ପାର୍ଟିକୁ ଚୟନ କରିବାରେ ସାହାଯ୍ୟ କରିଥିଲା । ଏହା ମଧ୍ୟରେ ଜାତୀୟ ରାଜନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ୟୁପିଏ ପରିବର୍ତ୍ତେ କେନ୍ଦ୍ରରେ ଏନଡିଏ କୁ ପୂର୍ଣ୍ଣ ବହୁମତ ମିଳିଛି । ଦିଲ୍ଲୀର ଶାସନ ସମୟରେ କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନେଇ ଅନେକ ଦ୍ବନ୍ଦ ଉପୁଜିଛି । ଦିଲ୍ଲୀ ଉପ- ରାଜ୍ୟପାଳ ଆଉ ମୁଖ୍ୟମନ୍ତ୍ରୀ ବିବାଦକୁ ନେଇ ଭିନ୍ନ ଭିନ୍ନ ସମୟରେ ବହୁ ଅଡୁଆ ପରିସ୍ଥିତି ସୃଷ୍ଠି ହୋଇଛି । ପ୍ରାଥମିକ ଅବସ୍ଥାରେ ଆପ୍ ପ୍ରତି ଥିବା ସମର୍ଥନ ଗତ ସାଧାରଣ ନିର୍ବାଚନ ସମୟରେ କିଛିଟା ବ୍ୟାଘାତ ହୋଇଥିବାର ଦେଖିବାକୁ ମିଳିଥିଲା । ଲୋକସଭା ନିର୍ବାଚନରେ ପୂନର୍ବାର ଦିଲ୍ଲୀ ଭୋଟର ମନ ବଦଳାଇ ବିଜେପି ସପକ୍ଷରେ ଭୋଟ ଦେଲେ । ଆମ ଆଦମୀ ପାର୍ଟ ଏହା ମଧ୍ୟରେ ନିଜର ଦୋଷ ତୃଟିକୁ ସଜାଡିବାକୁ ଯାଇ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିବା ଆରମ୍ଭ କରିଛି । ଦିଲ୍ଲୀରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ପିଇବା ପାଣି ବିଜୁଳି ଆଦିରେ ଅନେକ ବଡ ବଡ ନିଷ୍ପତ୍ତି ତାର ପୂର୍ବ ଲୋକପ୍ରିୟତାକୁ ଫେରାଇ ଆଣିବାରେ ସାହାଯ୍ୟ କରିଛି ।
ଏହା ମଧ୍ୟରେ ବିଜେପି ଦିଲ୍ଲୀ ସିଂହାସନ ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛି । ନାଗରିକତା ସଂଶୋଧନ ଆଇନ ବିଜେପିକୁ ଫାଇଦା ଦେବ ବୋଲି ଦଳ ଆଶା କରୁଥିବା ବେଳେ ଅଯୋଧ୍ୟା ରାୟ, ତିନ୍ ତଲାକ କିଛିଟା ବିଜୟ ପାଇଁ ସହଜ ହେବ ବୋଲି ଆଶା କରାଯାଉଛି । ସେପଟରେ ଜାମିଆ, ଜେଏନୟୁ ଭଳି ଘଟଣା ଆମ ଆଦମୀ ପାର୍ଟି ପାଇଁ ଅନୁକୂଳ ସାବ୍ୟସ୍ତ ହେବାକୁ ଯାଉଛି । କଂଗ୍ରେସ ତଥାକଥିତ ପ୍ରଚାର ପ୍ରସାରଠାରୁ ଦୁରରେ ରହି ଦିଲ୍ଲୀର ବାସ୍ତବ ଉନ୍ନତ୍ତିରେ କଂଗ୍ରେସର ଅବଦାନକୁ ଲୋକଙ୍କୁ ବୁଝେଇବାକୁ ଚେଷ୍ଠା କରିଛି ।
ଏ ସବୁ ମଧ୍ୟରେ ଗୋଟିଏ କଥା ସ୍ପଷ୍ଠ ଦିଲ୍ଲୀବାସୀ ନିର୍ବାଚନ ପ୍ରସଙ୍ଗରେ ଖୁବ୍ ସଚେତନ । ତଥାକଥିତ ପ୍ରଚାରପ୍ରସାର, ମନ ଲୋଭାଣିଆ ଯୋଜନା, ମାଗଣା ସ୍କିମ ସେମାନଙ୍କର ନିଷ୍ପତ୍ତିକୁ ବଦଳାଇ ଦେଇପାରିବ ନାହିଁ ଯାହା ଅତିତରେ ପ୍ରମାଣିତ ହୋଇଛି । ଜାତୀୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ବିଚାରକରି ଯେଉଁ ଦଳ ଦିଲ୍ଲୀର ସର୍ବାଙ୍ଗୀନ ଉନ୍ନତ୍ତିରେ ସହାୟକ ହେବ ତାକୁହିଁ ସେମାନେ ସମର୍ଥନ ଦେବେ ଏକଥା ପୂର୍ବାନୁମାନ କରାଯାଉଛି ।