ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ସୂଚନା ଦେଇଛନ୍ତି । ଭୋର ୫ଟାରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ନୀତି ସଂପନ୍ନ ହୋଇଛି ।ଏହା ପରେ ହୋମ,ମହାସ୍ନାନ,ସକାଳ ଧୂପ ଓ ଭୋଗମଣ୍ଡପ ନୀତି ନୀତି ସମାପନ ହୋଇ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ଯାତ୍ରା ଆରମ୍ଭ ହେବ ।
ବଡୁ ସେବାୟତମାନେ ବିନ୍ଦୁସାଗର ପୁସ୍କରଣୀରୁ ୧୦୮ ଗରା ପବିତ୍ର ଜଳ ଆଣିବେ । ଏହି ସମୟରେ ମେଘଡମ୍ବରୁ ଓ ଘଣ୍ଟରେ କମ୍ପି ଉଠିବ ସମଗ୍ର ଅଞ୍ଚଳ । ପ୍ରଥମ ଗରା ପାଣି ମହାପ୍ରଭୁଙ୍କୁ ପୂଜାପଣ୍ଡା ସେବାୟତ ଲାଗି କଲା ପରେ ଅବଶିଷ୍ଟ ୧୦୭ ଗରା ପାଣିରେ ମହାପ୍ରଭୁଙ୍କୁ ବଡୁ ନିଯୋଗ ସେବାୟତ ସ୍ନାନ କରାଇବେ । ଏହାପରେ ଦିଅଁଙ୍କୁ ସ୍ୱତନ୍ତ୍ର ରାଜାଧିରାଜ ବେଶ କରାଯିବ । ବେଶ ସମାପନ ହେବା ପରେ ଯାତ୍ରାପୂଜା ଓ ଆଳତୀ ନୀତି ସମ୍ପନ୍ନ ହେବ । ଏହି ସ୍ୱତନ୍ତ୍ର ନୀତି ପରେ ଦ୍ୱିପହର ଧୂପ ନୀତି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ଏହି ନୀତି ପାଇଁ ପୂର୍ବାହ୍ନ ୯ଟାରୁ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ସାହାଣମେଲା ଦର୍ଶନରୁ ବଞ୍ଚିତ ହେବେ ।
